ସାଂସଦ ପଦ ଯିବା ପରେ ରାହୁଲ ଗାନ୍ଧୀଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ‘ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ’

ନୂଆଦିଲ୍ଲୀ: ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୁହଁ ଖୋଲିଛନ୍ତି । ଏହି ପ୍ରସଙ୍ଗରେ ତାଙ୍କର ପ୍ରଥମ ପ୍ରତିକ୍ରିୟା ଆସିଛି।

ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି, “ମୁଁ ଭାରତର ସ୍ୱର ପାଇଁ ଲଢୁଛି। ମୁଁ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛି।”

ଗୁରୁବାର ସୁରଟର ଏକ କୋର୍ଟ ରାହୁଲ ଗାନ୍ଧୀଙ୍କୁ ‘ମୋଦୀ ସାଙ୍ଗିଆ’ ଉପରେ ଦେଇଥିବା ମନ୍ତବ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲାରେ କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ।

କୋର୍ଟଙ୍କ ରାୟର ଦିନକ ପରେ ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଛି । ଏନେଇ ଲୋକସଭା ସଚିବାଳୟ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଲୋକ ପ୍ରତିନିଧୀ ଆଇନ ଅନୁଯାୟୀ ଯଦି କୌଣସି ଆପରାଧିକ ମାମଲାରେ ଜନ ପ୍ରତିନିଧୀଙ୍କୁ ଦୁଇ ବର୍ଷ କିମ୍ବା ତାଠାରୁ ଅଧିକ ଦିନ ଜେଲ ଦଣ୍ଡ ହୁଏ, ତେବେ ତାଙ୍କ ସଦସ୍ୟତା ରଦ୍ଦ ହେବ।

ଏବେ ରାହୁଲ ଗାନ୍ଧୀଙ୍କ ପାଖରେ ସାଂସଦ ପଦ ଫେରି ପାଇବା ପାଇଁ କେତୋଟି ଆଇନଗତ ବିକଳ୍ପ ରହିଛି । ସେ ତଳକୋର୍ଟ ରାୟ ବିରୋଧରେ ହାଇକୋର୍ଟରେ ଅପିଲ କରିବେ ନହେଲେ ସୁପ୍ରିମକୋର୍ଟ ଯାଇପାରିବେ ।

Comments are closed.