ଲୋକସଭା ରେକର୍ଡରୁ ହଟାଗଲା ଆଦାନୀ ମାମଲାରେ ରାହୁଲ ଗାନ୍ଧୀଙ୍କ ଅଭିଯୋଗ

ନୂଆଦିଲ୍ଲୀ: ଆଦାନୀ ମାମଲାରେ ମୋଦୀ ସରକାରଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ ଯେଉଁ ଅଭିଯୋଗ ଆଣିଥିଲେ ତାହା ଲୋକସଭା ରେକର୍ଡରୁ ହଟାଇ ଦିଆଯାଇଛି । କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ମଙ୍ଗଳବାର ଲୋକସଭାରେ ଏହି ଅଭିଯୋଗ କରିଛନ୍ତି।

ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ରେକର୍ଡରୁ ହଟାଇ ସରକାର ଲୋକସଭାରେ ଗଣତନ୍ତ୍ରର ‘ଅନ୍ତିମ ସଂସ୍କାର’ କରିଛନ୍ତି ବୋଲି ରମେଶ କହିଛନ୍ତିି ।

ରମେଶ ଏ ସମ୍ପର୍କରେ ଏକ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, “ପ୍ରଧାନମନ୍ତ୍ରୀଙ୍କ ସହ ଜଡ଼ିତ ଆଦାନୀ ମହାମେଗାସ୍କାମ ଉପରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ହଟାଇବା ସହିତ ଲୋକସଭାରେ ଗଣତନ୍ତ୍ରର ଅନ୍ତିମ ସଂସ୍କାର କରିଛନ୍ତି। ଓମ୍ ଶାନ୍ତି। ”

ରାହୁଲ ଗାନ୍ଧୀ ମଙ୍ଗଳବାର ଆଦାନୀ ବିବାଦ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଥିଲେ । ରାହୁଲ ଅଭିଯୋଗ କରିଥିଲେ ଯେ ମୋଦୀ ସରକାର ଆଦାନୀ ଗ୍ରୁପକୁ ସରକାରୀ ସମ୍ବଳ ଯୋଗାଇ ତାଙ୍କ ବ୍ୟବସାୟ ବଢ଼ାଇବାରେ ସାହାଯ୍ୟ କରିଥିଲେ ।

ରାହୁଲ ଅଭିଯୋଗ କରିଥିଲେ ମୋଦୀ ସରକାର ଆଦାନୀଙ୍କୁ ସୁହାଇବା ଭଳି ବୈଦେଶିକ ନୀତି ପ୍ରଣୟନ କରୁଥିଲେ । ସରକାରଙ୍କ ଚାପରେ ଆଦାନୀ ଗ୍ରୁପକୁ ହଜାର ହଜାର କୋଟି ଟଙ୍କା ସରକାରୀ ଋଣ ଦିଆଯାଇଥିଲା ।

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରାହୁଲଙ୍କ ଏଭଳି ସାଂଘାତିକ ଅଭିଯୋଗ ପରେ ବହୁ ବିଜେପି ସାଂସଦ ତାଙ୍କୁ ଆପତ୍ତି ଉଠାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିନା କୌଣସି ପ୍ରମାଣରେ ରାହୁଲ ଭିତ୍ତିହୀନ ଅଭିଯୋଗ କରିଛନ୍ତି ବୋଲି ବିଜେପି କହିଥିଲା ।

Comments are closed.