ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି ଦେଲା ବର୍ଷା, ପ୍ରଦୂଷଣ ସ୍ଥିତିରେ ସୁଧାର

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ବର୍ଷା ଯୋଗୁଁ ଜାତୀୟ ରାଜଧାନୀ ବାସିନ୍ଦାଙ୍କୁ ବାୟୁ ପ୍ରଦୂଷଣରୁ ସାମୟିକ ଆଶ୍ବସ୍ତି ମିଳିଛି । ଗତକାଲି ରାତିରୁ ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଫଳରେ ଦିଲ୍ଲୀର ପ୍ରଦୂଷଣ ମାତ୍ରା ଅନେକାଂଶରେ ହ୍ରାସ ପାଇଛି ।

ବର୍ଷା ଯୋଗୁଁ ଦିଲ୍ଲୀର ବାୟୁ ଗୁଣବତ୍ତାରେ ଯଥେଷ୍ଟ ଉନ୍ନତି ଘଟିଛି । ଜାତୀୟ ରାଜଧାନୀରେ ପ୍ରଦୂଷଣ ସ୍ଥିତିରେ ସୁଧାର ଆଣିବା ପାଇଁ ଦିଲ୍ଲୀ ସରକାର ‘କୃତ୍ରିମ ବର୍ଷା’ କରିବାକୁ ଯୋଜନା କରୁଥିବାବେଳେ ଦୀପାବଳି ପୂର୍ବରୁ ବର୍ଷା ଦିଲ୍ଲୀବାସୀଙ୍କ‌ ପାଇଁ ଏକ ଆଶୀର୍ବାଦ ସଦୃଶ ହୋଇଛି ।

ଦିଲ୍ଲୀରେ ଗମ୍ଭୀର ପ୍ରଦୂଷଣ ସ୍ଥିତି ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। କୃତ୍ରିମ ବର୍ଷା ପ୍ରସ୍ତାବ ଉପରେ ଦିଲ୍ଲୀ ସରକାର ଆଜି କୋର୍ଟରେ ଏକ ସତ୍ୟପାଠ ଦାଖଲ କରିପାରନ୍ତି। ଯାନବାହାନ ପାଇଁ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ କରିବାକୁ ଦିଲ୍ଲୀ ସରକାର ମଧ୍ୟ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିବେ।

ଏହା ପୂର୍ବରୁ ସୁପ୍ରିମକୋର୍ଟ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟିର ମୁଖ୍ୟଙ୍କୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବା ସହ ପ୍ରଦୂଷଣ ସ୍ତରର ପ୍ରକୃତ ତଥ୍ୟ ଉପସ୍ଥାପନ କରିବାକୁ କହିଥିଲେ। ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ସରକାରଙ୍କୁ ମଧ୍ୟ ତାଗିଦ୍ କରିଥିଲେ ।

Comments are closed.