ରାଜସ୍ଥାନ କ୍ୟାବିନେଟ ସମ୍ପ୍ରସାରଣ: ମନ୍ତ୍ରୀ ଭାବେ ଶପଥ ନେଲେ ୨୨ ବିଧାୟକ

ଜୟପୁର: ରାଜସ୍ଥାନରେ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି)ର ୨୨ ଜଣ ବିଧାୟକ ଶନିବାର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨ ଜଣ କ୍ୟାବିନେଟ ମନ୍ତ୍ରୀ, ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ଵ) ଏବଂ ଅନ୍ୟ ୫ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି । ରାଜ୍ୟପାଳ କଲରାଜ ମିଶ୍ର ରାଜ ଭବନରେ ଏହି ବିଧାୟକମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ।

ମନ୍ତ୍ରୀ ହୋଇଥିବା ବିଧାୟକମାନଙ୍କ ମଧ୍ୟରୁ କରଣପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସୁରେନ୍ଦ୍ରପାଲ ସିଂହ ଟିଟି ବି ଅଛନ୍ତି । ଏହି ଆସନରେ ଜାନୁଆରୀ ୫ରେ ହେବ ମତଦାନ।

କ୍ୟାବିନେଟ ମନ୍ତ୍ରୀମାନଙ୍କ ମଧ୍ୟରେ ଡକ୍ଟର କିରୋରୀ ଲାଲ ମୀନା, ଗଜେନ୍ଦ୍ର ସିଂ ଖୀଓ୍ବଂସର, ରାଜ୍ୟବର୍ଦ୍ଧନ ସିଂହ ରାଠୋର, ବାବୁଲାଲ ଖରାଡି, ମଦନ ଦିଲାୱର, ଯୋଗରାମ ପଟେଲ, ସୁରେଶ ସିଂହ ରାୱତ, ଅବିନାଶ ଗେହଲୋଟ୍, ଜୋରାମ କୁମାୱତ, ହେମନ୍ତ ମୀନା, କହ୍ନେୟାଲାଲ ଚୌଧୁରୀ ଏବଂ ସୁମିତ ଗୋଦରା ଅଛନ୍ତି।

ଅନ୍ୟପକ୍ଷରେ ବିଧାୟକ ସଞ୍ଜୟ ଶର୍ମା, ଗୌତମ କୁମାର, ଜବର ସିଂହ ଖୈରା, ସୁରେନ୍ଦ୍ରପାଲ ସିଂହ ଟିଟି ଏବଂ ହିରାଲ ନାଗର ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ଶପଥ ନେଇଛନ୍ତି । ଏହାଛଡ଼ା ବିଧାୟକ ଓଟାରାମ ଦେଓ୍ବାସି, ଡକ୍ଟର ମଞ୍ଜୁ ବାଗମାର, ବିଜୟ ସିଂହ ଚୌଧୁରୀ, କେ.କେ ବିଷ୍ଣୁ ଏବଂ ଜବାହର ସିଂ ବେଦାମ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ସୂଚନାଯୋଗ୍ୟ, ନଭେମ୍ବର ୨୫ରେ ରାଜ୍ୟର ୨୦୦ ବିଧାନସଭା ଆସନ ମଧ୍ୟରୁ ୧୯୯ ଆସନରେ ଭୋଟ୍ ଗ୍ରହଣ ହୋଇଥିଲା। ଡିସେମ୍ବର ୩ରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା। ବିଜେପିର ବିପୁଳ ବିଜୟ ପରେ ଡିସେମ୍ବର ୧୫ରେ ଭଜନଲାଲ ଶର୍ମା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତାଙ୍କ ସହ ନବ ନିର୍ବାଚିତ ବିଧାୟକ ଦିୟା କୁମାରୀ ଏବଂ ପ୍ରେମଚାନ୍ଦ ବୈରୱାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିଲା।

ରାଜ୍ୟର କରଣପୁର ଆସନରୁ କଂଗ୍ରେସ ପ୍ରାର୍ଥୀ ଗୁରୁମିତ ସିଂ କୁନାରଙ୍କ ମୃତ୍ୟୁ କାରଣରୁ ଏଠାରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ଏହି ଆସନରେ ମତଦାନ ବର୍ତ୍ତମାନ ଜାନୁଆରୀ ୫ରେ ହେବ। ଏଠାରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରପାଲ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ କୁନାରଙ୍କ ପୁଅ ରୁପିନ୍ଦର ସିଂହଙ୍କୁ ପ୍ରାର୍ଥୀ କରିଛି।

Comments are closed.