ସନରାଇଜର୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସର ବଡ଼ ବିଜୟ

ହାଇଦ୍ରାବାଦ: ଚଳିତ ଆଇପିଏଲରେ ଜବରଦସ୍ତ ବିଜୟରୁ ରାଜସ୍ଥାନ ରୟାଲ୍ସ ନିଜ ଅଭିଯାନ ଆରମ୍ଭ କରିଛି । ରବିବାର ଏଠାରେ ଖେଳାଯାଇଥିବା ମ୍ୟାଚରେ ଗତ ଥରର ରନର୍ସ ଅପ୍ ରାଜସ୍ଥାନ ୭୨ ରନରେ ଘରୋଇ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଛି ।

ଜୋସ୍ ବଟଲର, ଯଶସ୍ୱୀ ଜୈସୱାଲ ଓ ଅଧିନାୟକ ସଞ୍ଜୁ ସାମସନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ରାଜସ୍ଥାନ ୫ ୱିକେଟ୍ ହରାଇ ୨୦୩ ରନର ବିଶାଳ ସ୍କୋର କରିଥିଲା । ଚଳିତ ସିଜନରେ ଏହା ଦ୍ୱିତୀୟ ସର୍ବାଧିକ ଦଳୀୟ ସ୍କୋର ଥିଲା । ଏହାର ଜବାବରେ ହାଇଦ୍ରାବାଦ ୮ ୱିକେଟରେ ମାତ୍ର ୧୩୧ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ନିମ୍ନଭାଗ ବ୍ୟାଟର ଅବଦୁଲ ସମଦ୍ ଅପରାଜିତ ୩୨ ରନ୍ କରିଥିବା ବେଳେ ମୟଙ୍କ ଅଗ୍ରୱାଲ ୨୭ ରନ୍ କରିଥିଲେ । ରାଜସ୍ଥାନ ତରଫରୁ ୟୁଜବେନ୍ଦ୍ର ଚହଲ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ । ଟ୍ରେଣ୍ଟ ବୋଲ୍ଟ ୨ଟି ୱିକେଟ୍ ପାଇଥିଲେ । ଧୂଆଁଧାର ଇନିଂସ୍ ପାଇଁ ରାଜସ୍ଥାନ ଓପନର ବଟଲର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।
୨୦୪ ରନର ବିଶାଳ ଲକ୍ଷ୍ୟକୁ ପିଛା କରୁଥିବା ହାଇଦ୍ରାବାଦକୁ ଭଲ ଆରମ୍ଭ ଦରକାର ଥିଲା । କିନ୍ତୁ ଦଳ ଆରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ଖାତା ଖୋଲିବା ଆଗରୁ ହିଁ ଦୁଇ ୱିକେଟ୍ ହରାଇଥିଲା । ରାଜସ୍ଥାନ ପେସର ବୋଲ୍ଟ ପ୍ରଥମ ଓଭରରେ ଅଭିଷେକ ଶମା (୦) ଓ ରାହୁଲ ତ୍ରିପାଠି (୦)ଙ୍କୁ ପ୍ୟାଭିଲିୟନ୍ ଫେରାଇ ହାଇଦ୍ରାବାଦକୁ ଡବଲ ଝଟକା ଦେଇଥିଲେ । ଏହାପରେ କ୍ରିଜକୁ ଓହ୍ଲାଇଥିବା ଇଂଲଣ୍ଡର ଉଦୀୟମାନ ବ୍ୟାଟର ହ୍ୟାରି ବ୍ରୁକ୍ (୧୩) ମଧ୍ୟ ବିଶେଷ କିଛି କରିପାରିନଥିଲେ । ତାଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ ଚହଲ । ହାଇଦ୍ରାବାଦ ନିୟମିତ ୱିକେଟ୍ ହରାଇ ଏକଦା ୮୧ ରନରେ ୭ ୱିକେଟ୍ ହରାଇଥିଲା । ଏହି ବିପର୍ଯ୍ୟୟରୁ ଦଳ ଆଉ ମୁକୁଳି ପାରିନଥିଲା ।

ପୂର୍ବରୁ ହାଇଦ୍ରାବାଦ୍ ଟସ୍ ଜିତି ରାଜସ୍ଥାନକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ହେଲେ ହାଇଦ୍ରାବାଦର କାମଚଳା ଅଧିନାୟକ ଭୁବନେଶ୍ୱର କୁମାରଙ୍କ ଏହି ନିଷ୍ପତ୍ତି ବୁମେରାଂ ସାବ୍ୟସ୍ତ ହୋଇଥିଲା । ବଟଲର ଓ ଜୈସୱାଲ ଧମାକାଦାର ଆରମ୍ଭ କରି ହାଇଦ୍ରବାଦ ବୋଲରଙ୍କ ଉପରେ ଚାପ ପକାଇଥିଲେ । ପାୱାର ପ୍ଲେ’ରେ ରାଜସ୍ଥାନର ଏହି ଦୁଇ ଓପନର ୮୫ ରନ୍ ସଂଗ୍ରହ କରିଥିଲେ । ଶେଷରେ ବଟଲରଙ୍କୁ ଆଉଟ୍ କରି ଫାରୁକି ଏହି ଯୋଡ଼ି ଭାଙ୍ଗିଥିଲେ । ଆଉଟ୍ ହେବା ପୂର୍ବରୁ ବଟଲର ମାତ୍ର ୨୨ଟି ବଲରେ ୭ଟି ଚୌକା ଓ ୩ଟି ଛକା ସହ ଚିତ୍ତାକର୍ଷକ ୫୪ ରନ୍ କରିଥିଲେ । ତାଙ୍କ ଓପନିଂ ପାର୍ଟନର ଜୈସୱାଲ ମଧ୍ୟ ୫୪ ରନ୍ କରିଥିଲେ । ତାଙ୍କର ଏହି ଇନିଂସ୍ ପାଇଁ ଜୈସୱାଲ ୩୪ଟି ବଲ ଖେଳିଥିବା ବେଳେ ୯ଟି ଚୌକା ମାରିଥିଲେ । କ୍ୟାପଟେନ ସାମସନ୍ ଓ ଜୈସୱାଲ ଦ୍ୱିତୀୟ ୱିକେଟରେ ଦ୍ରୁତ ୫୪ ରନ୍ ଯୋଗ କରିଥିଲେ । ଏଥିମଧ୍ୟରୁ ସାମସନ ୩୨ଟି ବଲରେ ୩ଟି ଚୌକା ଓ ୪ଟି ଛକା ସହ ୫୫ ରନ୍ କରିଥିଲେ । ୧୪ତମ ଓଭରରେ ସାମସନଙ୍କୁ ଆଉଟ୍ କରି ନଟରାଜନ ହାଇଦ୍ରାବାଦକୁ ଆଶ୍ୱସ୍ତି ଦେଇଥିଲେ । ଦେବଦତ୍ତ ପାଡିକଲ (୨) ଓ ରିୟାନ ପରାଗ (୭) ଶୀଘ୍ର ଆଉଟ୍ ହୋଇଥିଲେ । ହେଲେ ଡେଥ ଓଭରରେ ସିମ୍ରନ ହେଟମାୟର ମାତ୍ର ୧୬ଟି ବଲରେ ୨୨ ରନ୍ କରିଥିବା ବେଳେ ରାଜସ୍ଥାନ ୨୦୦ ରନ୍ ଟପିଥିଲା । ହାଇଦ୍ରାବାଦ ପକ୍ଷରୁ ଫାରୁକି ଓ ନଟରାଜନ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

Comments are closed.