ଅଗ୍ନିପଥ ବିବାଦ: ତିନି ସେନା ମୁଖ୍ୟଙ୍କ ସହ ରାଜନାଥ ସିଂହଙ୍କ ବୈଠକ

ନୂଆଦିଲ୍ଲୀ: ସେନାବାହିନୀରେ ନିଯୁକ୍ତି ପାଇଁ ‘ଅଗ୍ନିପଥ’ ଯୋଜନା ଘୋଷଣା ପରେ ଦେଶବ୍ୟାପୀ ବିକ୍ଷୋଭ ପରିପ୍ରେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ସ୍ଥଳ ସେନା, ନୌସେନା ଏବଂ ବାୟୁସେନାର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକର କରିଛନ୍ତି । ଏହି ଯୋଜନାକୁ ନେଇ ଦେଶର ଅନେକ ସ୍ଥାନରେ ବିରୋଧ ତୀବ୍ର ହୋଇଛି।

ଏହି ବୈଠକରେ ନୌସେନା ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧୁରୀ, ନୌସେନାର ମୁଖ୍ୟ ଆଡମିରାଲ ଆର୍ ହରି କୁମାର ଏବଂ ସ୍ଥଳ ସେନା ଉପମୁଖ୍ୟ ଜେନେରାଲ ବିଏସ୍
ରାଜୁ ଉପସ୍ଥିତ ଥିଲେ।

ଅଗ୍ନିପଥ ଯୋଜନାର ଶୀଘ୍ର କାର୍ଯ୍ୟକାରିତା ତଥା ବିକ୍ଷୋଭକାରୀଙ୍କୁ ଶାନ୍ତ କରିବାର ଉପାୟ ଖୋଜିବା ଉପରେ ଏହି ବୈଠକରେ ଆଲୋଚନା ହୋଇଥିବା ସୂତ୍ରରୁ ପ୍ରକାଶ।

ଏକ ସରକାରୀ ଗସ୍ତରେ ସେ ହାଇଦ୍ରାବାଦରେ ଥିବାରୁ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏହି ବୈଠକରେ ଯୋଗ ଦେଇ ପାରିନଥିଲେ ।

ସେନା, ନୌସେନା ଏବଂ ବାୟୁସେନା ଶୁକ୍ରବାର ନୂଆ ‘ଫର୍ମାଟ୍’ ଅନ୍ତର୍ଗତ ଚୟନ ପ୍ରକ୍ରିୟା ଆରମ୍ଭ କରିବାକୁ ଘୋଷଣା କରିଥିବାରୁ ଅଗ୍ନିପଥ ଆର୍ମି ନିଯୁକ୍ତି ଯୋଜନା ବିରୋଧରେ ଆନ୍ଦୋଳନ ତେଜିଛି।

ବାୟୁସେନା ମୁଖ୍ୟ ଭି.ଆର୍ ଚୌଧୁରୀ କହିଛନ୍ତି ଯେ ଅଗ୍ନିପଥ ଯୋଜନା ଅନ୍ତର୍ଗତ ବାୟୁସେନା ଦ୍ୱାରା ଚୟନ ପ୍ରକ୍ରିୟା ଜୁନ୍ ୨୪ରୁ ଆରମ୍ଭ ହେବ । ସେପଟେ ସ୍ଥଳ ସେନା କହିଛି ଯେ ନିଯୁକ୍ତି ପାଇଁ ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଦୁଇ ଦିନ ମଧ୍ୟରେ ପ୍ରକ୍ରିୟାକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯିବ | ନୌସେନା କିନ୍ତୁ ଏହି ନୂଆ ଯୋଜନା ଅଧୀନରେ ଖୁବ ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବ ବୋଲି କହିଛି। ଜଣେ ବରିଷ୍ଠ ନୌସେନା କମାଣ୍ଡର କହିଛନ୍ତି ଯେ ଏକ ସପ୍ତାହ ମଧ୍ୟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯିବ।

ସେନାର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ତିନି ସଶସ୍ତ୍ର ବାହିନୀ ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ନୂଆ ନିଯୁକ୍ତି ଯୋଜନା ଅନ୍ତର୍ଗତ ଉଭୟ ଅଣ ସାମରିକ ତଥା ସାମରିକ ପଦ ପାଇଁ ପ୍ରଥମ ବ୍ୟାଚ୍ ନିଯୁକ୍ତ କରିବାକୁ ଯୋଜନା କରୁଛନ୍ତି ।

Comments are closed.