ରନିଲ ବିକ୍ରମସିଙ୍ଘେ ହେବେ ଶ୍ରୀଲଙ୍କାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ, ମହିନ୍ଦା ରାଜପକ୍ଷେଙ୍କ ଦେଶ ଛାଡ଼ିବା ଉପରେ ରୋକ୍ ଲାଗିଲା

କଲମ୍ବୋ: ଆର୍ଥିକ ସହ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ରନିଲ ବିକ୍ରମସିଙ୍ଘେ ନିଯୁକ୍ତ ହୋଇପାରନ୍ତି । ସେ ଆଜି ସଂନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବା ସମ୍ଭାବନା ରହିଛି । ପୂର୍ବରୁ ବିକ୍ରମସିଙ୍ଘେ ପାଞ୍ଚ ଥର ପ୍ରଧାନମନ୍ତ୍ରୀ ରହିସାରିଛନ୍ତି । ଅନ୍ୟପକ୍ଷରେ ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ଦେଶ ଛାଡ଼ିବା ଉପରେ କୋର୍ଟ ରୋକ୍ ଲଗାଇଛନ୍ତି । ମହିନ୍ଦା ରାଜପକ୍ଷେଙ୍କ ସହ ଅନ୍ୟ ୧୬ ଜଣଙ୍କୁ ଦେଶ ଛାଡ଼ି ନଯିବାକୁ ଶ୍ରୀଲଙ୍କାର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ଗୋଟାଗୋଗାମା ଏବଂ ମିନାଗୋଗାମାରେ ବିକ୍ଷୋଭକାରୀଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ଚାଲୁଥିବାରୁ ଫୋର୍ଟ ମାଜିଷ୍ଟ୍ରେଟ୍ କୋର୍ଟ ଏଭଳି ପ୍ରତିବନ୍ଧକ ଲଗାଯାଇଛନ୍ତି।

ଆଟର୍ଣ୍ଣି ଜେନେରାଲ ୧୭ ଜଣଙ୍କ ଉପରେ ଯାତ୍ରା ନିଷେଧାଦେଶ ପାଇଁ ଆବେଦନ କରି କହିଛନ୍ତି ଯେ ସେମାନେ ଏହି ଆକ୍ରମଣର ଷଡ଼ଯନ୍ତ୍ର କରିଥିବା ସନ୍ଦେହ କରାଯାଉଛି । ତେଣୁ ଏହି ଘଟଣାର ଅନୁସନ୍ଧାନ ପାଇଁ ସେମାନେ ଶ୍ରୀଲଙ୍କାରେ ଉପସ୍ଥିତ ରହିବା ଆବଶ୍ୟକ।

ଏହାପୂର୍ବରୁ ବୁଧବାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଦେଶକୁ ସମ୍ବୋଧିତ କରି କହିଥିଲେ ଯେ ପୁରୁଣା କ୍ୟାବିନେଟକୁ ଭାଙ୍ଗି ଦିଆଯାଇଛି ଏବଂ ଯୁବ ସାଂସଦଙ୍କ ନେଇ ନୂତନ କ୍ୟାବିନେଟ ଗଠନ ପାଇଁ ପ୍ରସ୍ତୁତି ଚାଲିଛି। ନୂଆ କ୍ୟାବିନେଟରେ ରାଜପକ୍ଷେ ପରିବାରର କୌଣସି ସଦସ୍ୟ ସାମିଲ ହେବେ ନାହିଁ ବୋଲି ସେ କହିଛନ୍ତି ।

ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ସରକାର ବିରୋଧୀ ବିକ୍ଷୋଭ ଜୋରଦାର ହୋଇଛି । ନିକଟରେ ସରକାର ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷରେ ଜଣେ ସାଂସଦଙ୍କ ସହ ୮ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୦୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ । ବିକ୍ଷୋଭକାରୀ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ।

Comments are closed.