ରବି ବିଷ୍ଣୋଇ ବିଶ୍ବର ଏକ ନମ୍ବର ଟି-୨୦ ବୋଲର

ନୂଆଦିଲ୍ଲୀ: ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ ଲେଗ୍ ସ୍ପିନର ରବି ବିଷ୍ଣୋଇଙ୍କୁ ମିଳିଛି ପୁରସ୍କାର। ସଦ୍ୟ ପ୍ରକାଶିତ ଆଇସିସି ଟି-୨୦ ବୋଲର ର଼୍ୟାଙ୍କିଙ୍ଗରେ ବିଷ୍ଣୋଇ ଆଫଗାନିସ୍ତାନର ଷ୍ଟାର ସ୍ପିନର ରସିଦ ଖାନଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।

ଏହା ସହ ଯସପ୍ରୀତ ବୁମରାଙ୍କ କ୍ଲବରେ ସାମିଲ ହୋଇଛନ୍ତି ବିଷ୍ଣୋଇ । ବୁମରା ପୂର୍ବରୁ ଟି-୨୦ ର଼୍ୟାଙ୍କିଙ୍ଗରେ ଏକ ନମ୍ବର ବୋଲର ହୋଇଥିଲେ।

ଏବେ ଟି-୨୦ର ଉଭୟ ବୋଲିଂ ଓ ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ଭାରତୀୟ ଖେଳାଳି ପ୍ରଥମ ସ୍ଥାନରେ ରହିଛନ୍ତି । ବିଷ୍ଣୋଇ ଏକ ନମ୍ବର ଟି-୨୦ ବୋଲର ହୋଇଥିବା ବେଳେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ବ୍ୟାଟିଂ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।

ଆଇପିଏଲରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପାଇଁ ଖେଳୁଥିବା ରବି ବିଷ୍ଣୋଇ ଗତ ସପ୍ତାହରେ ପାଞ୍ଚ ନମ୍ବର ସ୍ଥାନରେ ଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପରେ ସେ ୫ଟି ସ୍ଥାନ ଲମ୍ଫ ଦେଇ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି |

ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବିଷ୍ଣୋଇ ୫ଟି ମ୍ୟାଚରେ ୯ଟି ୱିକେଟ୍ ନେଇଥିଲେ। ଫଳରେ ସେ ଆଉ ୩୪ ରେଟିଂ ପଏଣ୍ଟ ପାଇଛନ୍ତି | ବିଷ୍ଣୋଇଙ୍କ ବର୍ତ୍ତମାନ ୬୯୯ ରେଟିଂ ପଏଣ୍ଟ ହୋଇଯାଇଛି ଯାହା ରସିଦ ଖାନଙ୍କଠାରୁ ୭ ପଏଣ୍ଟ ଅଧିକ | ରସିଦ ଖାନ ମାର୍ଚ୍ଚ ୨୦୨୩ରୁ ଏକ ନମ୍ବର ସ୍ଥାନ ଅକ୍ତିଆର କରିଥିଲେ।

ଫେବୃଆରୀ ୨୦୨୨ରେ ଅନ୍ତର୍ଜାତୀୟ ଟି-୨୦ ଡେବ୍ୟୁ କରିଥିବା ବିଷ୍ଣୋଇ ଏଯାବତ୍ ୨୧ ମ୍ୟାଚରେ ୩୪ ୱିକେଟ୍ ନେଇଛନ୍ତି।

Comments are closed.