ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଆରବିଆଇ ଗୁରୁବାର ଦ୍ବିମାସିକ ମୁଦ୍ରାନୀତି ଘୋଷଣା କରିଛି । ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ରେପୋ ରେଟ୍ ପୂର୍ବଭଳି ୬.୫ ପ୍ରତିଶତ ରଖାଯାଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ମୁଦ୍ରା ନୀତି କମିଟି ସର୍ବସମ୍ମତି କ୍ରମେ ରେପୋ ରେଟରେ ପରିବର୍ତ୍ତନ ନକରିବାକୁ ନିଷ୍ପତ୍ତି ନେଇଛି। ସେ କହିଛନ୍ତି ଯେ ଅର୍ଥନୀତିର ପୁନରୁଦ୍ଧାର ପ୍ରକ୍ରିୟା ବଜାୟ ରଖିବା ପାଇଁ ଆମେ ରେପୋ ରେଟ୍‌ ହାରକୁ ଅପରିବର୍ତ୍ତିତ ରଖିଛୁ, କିନ୍ତୁ ଆବଶ୍ୟକ ସ୍ଥଳେ ପରିସ୍ଥିତି ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବୁ।

ଦାସ କହିଛନ୍ତି ଯେ ଦେଶର ବ୍ୟାଙ୍କିଙ୍ଗ ଏବଂ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ବ୍ୟବସ୍ଥା ସୁଦୃଢ଼ ରହିଛି। ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ଉଚ୍ଚ ସ୍ତରରେ ରହିଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ରେ ମୁଦ୍ରାସ୍ଫୀତି ହାର ୫.୨ ପ୍ରତିଶତ ରହିବ। ପ୍ରଥମ ତ୍ରୈ ମାସରେ ଏହା ୫.୧ ପ୍ରତିଶତ ହେବ। ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତିରେ ସୁଧାର ଆସିବ । ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରହିବ । ଗତ ଆର୍ଥିକ ବର୍ଷରେ ଭାରତୀୟ ମୁଦ୍ରା ବ୍ୟବସ୍ଥିତ ଢଙ୍ଗରେ ଅଗ୍ରଗତି କରିଥିଲା। ରିଜର୍ଭ ବ୍ୟାଙ୍କ ଏହା ଉପରେ ନଜର ରଖିବ ବୋଲି ସେ କହିଛନ୍ତି ।

ଗତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ଏବଂ ଚଳିତ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ କମ୍ ରହିବ । ଦାସ କହିଛନ୍ତି ଯେ ବିଭିନ୍ନ ବ୍ୟାଙ୍କରେ ବେନାମି ଜମା ଉପରେ ନଜର ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ଏକ କେନ୍ଦ୍ରୀୟ ପୋର୍ଟାଲ ସ୍ଥାପନ କରିବ।

ଉଲ୍ଲେଖଯୋଗ୍ୟ, ନିକଟରେ ଶିଳ୍ପ ସଂଘ ତରଫରୁ ରେପୋ ରେଟରେ ଆଉ ବୃଦ୍ଧି ନ କରିବାକୁ ସରକାର ଏବଂ ଆରବିଆଇକୁ ଅନୁରୋଧ କରାଯାଇଥିଲା । ସେମାନଙ୍କ ଯୁକ୍ତି ଥିଲା ଯେ ମୁଦ୍ରାସ୍ଫୀତି ଦୀର୍ଘ ଦିନ ଧରି ନିୟନ୍ତ୍ରଣରେ ରହିଆସିଛି ଏବଂ ଏହାର ସ୍ତର ସ୍ୱାଭାବିକ ରହିଛି। ସେଥିପାଇଁ ରେପୋ ରେଟରେ ପରିବର୍ତ୍ତନ କରାଯିବାର ଆବଶ୍ୟକତା ନାହିଁ । ସାଧାରଣତଃ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଆରବିଆଇ ରେପୋ ରେଟରେ ପରିବର୍ତ୍ତନ କରିଥାଏ।

ରିଜର୍ଭ ବ୍ୟାଙ୍କ ଯେଉଁ ସୁଧ ହାରରେ ବ୍ୟାଙ୍କ ମାନଙ୍କୁ ଋଣ ପ୍ରଦାନ କରେ ତାହାକୁ ରେପୋ ରେଟ୍ କୁହାଯାଏ। ବ୍ୟାଙ୍କ ଗୁଡ଼ିକ ମଧ୍ୟ ଏହି ହାରରେ ଗ୍ରାହକଙ୍କୁ ଋଣ ଦେଇଥାନ୍ତି । ରେପୋ ରେଟ୍ କମିଲେ ଲୋକେ କମ୍ ସୁଧରେ ଋଣ ପାଇବେ । ଏଥିରେ ବୃଦ୍ଧି ଘଟିଲେ ବ୍ୟାଙ୍କ ଋଣ ମହଙ୍ଗା ହୋଇଥାଏ ଏବଂ ଲୋକଙ୍କ ମାସିକ କିସ୍ତି ବା ଇଏମ୍ଆଇ ମଧ୍ୟ ବଢ଼ିଯାଏ ।

Comments are closed.