ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରଜନୀକାନ୍ତଙ୍କ ‘ଜେଲର’ ଚଳଚ୍ଚିତ୍ରରୁ ହଟିବ ଆରସିବି ଜର୍ସି ସିନ୍

ନୂଆଦିଲ୍ଲୀ: ପ୍ରାୟ ୨ ବର୍ଷ ପରେ ସୁପରଷ୍ଟାର ରଜନୀକାନ୍ତ ବଡ଼ ପରଦାକୁ ଧମାକାଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ନିକଟରେ ମୁକ୍ତିଲାଭ କରିଥିବା ତାଙ୍କ ଚଳଚ୍ଚିତ୍ର ‘ଜେଲର’ ବକ୍ସ ଅଫିସରେ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଛି | ତେବେ ରଜନୀକାନ୍ତଙ୍କ ଏହି ଫିଲ୍ମକୁ ଏବେ ଦିଲ୍ଲୀ ହାଇକୋର୍ଟରୁ ଝଟକା ଲାଗିଛି । ରଜନୀକାନ୍ତଙ୍କ ‘ଜେଲର’ ଚଳଚ୍ଚିତ୍ରରେ ଆଇପିଏଲ୍ ଟିମ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)ର ଏକ ଜର୍ସି ସିନ୍ ରହିଛି । ଚଳଚ୍ଚିତ୍ରରୁ ଏହି ସିନ୍ ହଟାଇବାକୁ ‘ଜେଲର’ ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

ସୂଚନା ଅନୁଯାୟୀ, ରଜନୀକାନ୍ତଙ୍କ ‘ଜେଲର’ ଚଳଚ୍ଚିତ୍ରରେ ଏକ ଦୃଶ୍ୟରେ ଜଣେ ଗୁଣ୍ଡା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଜର୍ସି ପିନ୍ଧିଥିବା ଦେଖିବାକୁ ମିଳୁଛି । ଏହାକୁ ହଟାଇବା ଦାବି କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର ହୋଇଥିଲା। ଏହି ଦୃଶ୍ୟ ଦଳର ବ୍ରାଣ୍ଡ୍ ଉପରେ ନକାରାତ୍ମକ ପ୍ରଭାବ ପକାଇବ ବୋଲି ଏହି ଆଇପିଏଲ୍ ଫ୍ରାଞ୍ଚାଇଜ ପକ୍ଷରୁ ଯୁକ୍ତି କରାଯାଇଥିଲା ।

ଆରସିବି ସପକ୍ଷରେ ହାଇକୋର୍ଟ ରାୟ ଦେବା ପରେ ‘ଜେଲର’ ନିର୍ମାତା ଏହି ଦୃଶ୍ୟ ବଦଳାଇବେ ବୋଲି ଜଣାପଡ଼ିଛି । ସେପ୍ଟେମ୍ବର ୧ରୁ ଏହି ଫିଲ୍ମର ସଂଶୋଧିତ ଭର୍ସନକୁ ରିଲିଜ୍ କରାଯିବ ବୋଲି ନିର୍ମାତାଙ୍କ ପକ୍ଷରୁ କୁହାଯାଇଛି ।

‘ଜେଲର’ ଚଳଚ୍ଚିତ୍ର ବକ୍ସ ଅଫିସରେ ବେଶ୍ ଭଲ ବ୍ୟବସାୟ କରୁଛି | ଏହି ଫିଲ୍ମ ଏପର୍ଯ୍ୟନ୍ତ ସାରା ବିଶ୍ୱରେ ୬୦୦ କୋଟି ଟଙ୍କା ଆୟ କରିଛି |

Comments are closed.