ଉତ୍ତରାଖଣ୍ଡର ଯୋଶୀମଠ ସହର କାହିଁକି ଦବୁଛି ? ଏହି କାରଣକୁ ଦାୟୀ କଲେ ବିଶେଷଜ୍ଞ 

ଡେରାଡୁନ୍, : ଉତ୍ତରାଖଣ୍ଡରେ ଥିବା ଯୋଶୀମଠ ସହର ଦବିବାରେ ଲାଗିଛି । ସହରର ବହୁ ଘରେ ଓ ରାସ୍ତାରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଥିବା ବେଳେ ମାଟି ଧସୁଛି ।

ଶୁକ୍ରବାର ଦିନ ଏକ ମନ୍ଦିର ଭାଙ୍ଗିଯାଇଛି। ଆଖପାଖ ଅଞ୍ଚଳବାସୀ ଏହାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି। ସେଠାରେ ଥ‌ିବା ଅନ୍ୟୁନ ୬୦୩ ଘର କାନ୍ଥ ଏବଂ ଅନ୍ୟ ଭିତ୍ତିଭୂମିଗୁଡ଼ିକରେ ଫାଟ ସୃଷ୍ଟି ହୋଇଛି । ଚମୋଲି ଜିଲାରେ ଥିବା ଏକ ହୋଟେଲ ନଇଁଯାଇଛି ।

ରାସ୍ତାଘାଟରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖ୍ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାର୍ମି ଶୁକ୍ରବାର ଉଚ୍ଚସ୍ତରୀୟ ମୋଟ ୭୭ ପରିବାରକୁ ସେଠାରୁ ସ୍ଥାନାନ୍ତର କରାଗଲାଣି ।

ଯୋଶୀମଠରେ ମାଟି କାହିଁକି ଧସୁଛି ? ଏହାର ଉଭୟ ମାନବକୃତ ଓ ପ୍ରାକୃତିକ କାରଣ ରହିଛି ବୋଲି ହିମାଳୟ ଭୂବିଜ୍ଞାନର ୱାଡିଆ ଇନଷ୍ଟିଚ୍ୟୁଟ୍ ନିର୍ଦ୍ଦେଶକ କାଲାଚାନ୍ଦ ସେନ୍ କହିଛନ୍ତି । ସେନଙ୍କ କହିବା ଅନୁସାରେ ଯୋଶୀମଠ ମାଟି ତିନୋଟି ପ୍ରମୁଖ କାରଣ ଯୋଗୁଁ ଦୁର୍ବଳ ହେବାରେ ଲାଗିଛି। ପ୍ରାୟ ଏକ ଶତାବ୍ଦୀ ପୂର୍ବରୁ ଭୂକମ୍ପ ଏବଂ ଭୂସ୍ଖଳନର ଧ୍ବଂସାବଶେଷ ଉପରେ ଏହି ସହର ଗଢ଼ି ଉଠିଥିଲା । ଏହାଛଡା ଯୋଶୀମଠ ସର୍ବାଧିକ ଭୂକମ୍ପ ପ୍ରବଣ ଜୋନ୍ ‘ଜୋନ୍-୫’ ରେ ରହିଛି । କ୍ରମାଗତ ଜଳ ପ୍ରବାହ ଯୋଗୁଁ ମାଟି ତଳର ପଥର ଗୁଡ଼ିକ ମଧ୍ୟ ଦୁର୍ବଳ ହେବାରେ ଲାଗିଛି ।

ସେନ୍ କହିଛନ୍ତି, ଏଟକିନ୍ସ ସର୍ବ ପ୍ରଥମେ ୧୮୮୬ ମସିହାରେ ହିମାଳୟ ଗେଜେଟର” ରେ ଭୂସ୍ଖଳନର ଧ୍ବଂସାବଶେଷ ଉପରେ ଗଢ଼ି ଉଠିଥିବା ଯୋଶୀମଠର ସ୍ଥିତି ବିଷୟରେ ଲେଖିଥିଲେ। ଏପରିକି ୧୯୭୬ ମସିହାରେ ମିଶ୍ରା କମିଟି ମଧ୍ୟ ଏହାର ରିପୋର୍ଟରେ ଏକ ପୁରାତନ ‘ସବସିଡେନ୍ସ ଜୋନ୍’ରେ ଏହାର ଅବସ୍ଥାନ ବିଷୟରେ ଉଲ୍ଲେଖ କରିଥିଲେ।

ସେନ୍ କହିଛନ୍ତି ଯେ ଗତ ବର୍ଷ ଋଷିଗଙ୍ଗା ଏବଂ ଧୌଳିଗଙ୍ଗା ନଦୀରେ ଅଚାନକ ବଢ଼ି ଆସିବା ସହିତ ପ୍ରବଳ ବର୍ଷା ଯୋଗୁଁ ଯୋଶୀମଠର ମୂଳଦୁଆ ଆହୁରି ଦୁର୍ବଳ ହୋଇଛି ।

ବଦ୍ରିନାଥ, ହେମକୁଣ୍ଡ ସାହିବ ଏବଂ ଆଉଲିର ପ୍ରବେଶ ଦ୍ୱାର ହୋଇଥିବାରୁ ଯୋଶୀମଠ ସହର ଚାପ ସମ୍ଭାଳି ପାରୁନି । କିନ୍ତୁ ଏହି କଥା ଚିନ୍ତା ନକରି ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ବିନା ପ୍ଲାନିଂରେ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି କାରଣରୁ ସେଠାରେ ଥିବା ଘର ଗୁଡ଼ିକରେ ମଧ୍ୟ ଫାଟ ସୃଷ୍ଟି ହୋଇଛି।

ସେନ୍ କହିଛନ୍ତି, ସବୁ ସ୍ଥାନରେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ନିର୍ମାଣ କରାଯାଉଛି। ଜନସଂଖ୍ୟାର ଚାପ ଏବଂ ପର୍ଯ୍ୟଟକଙ୍କ ଭିଡ଼ର ଆକାର ମଧ୍ୟ ବହୁଗୁଣିତ ହୋଇଛି । ତେଣୁ ସହରର ଅନେକ ଘର ସୁରକ୍ଷିତ ନୁହେଁ। ଏପରି ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ଉଚିତ୍ |

Comments are closed.