ଭାରତୀୟ ସେନାରେ ମିଳିଲାନି ସୁଯୋଗ, ଏବେ ୟୁକ୍ରେନ ସେନା ପକ୍ଷରୁ ଲଢ଼ୁଛନ୍ତି ତାମିଲନାଡୁ ଯୁବକ

ନୂଆଦିଲ୍ଲୀ: ଭାରତୀୟ ସେନାରେ ସୁଯୋଗ ନ ମିଳିବା ପରେ ତାମିଲନାଡୁ କୋଏମ୍ବାଟୁରର ୨୧ ବର୍ଷୀୟ ସାଇନିକେଶ ରବିଚନ୍ଦ୍ରନ ବର୍ତ୍ତମାନ ରୁଷ ବିରୋଧରେ ଅସ୍ତ୍ର ଉଠାଇଛନ୍ତି । ଯୁଦ୍ଧ ଆରମ୍ଭ ପରେ ସେ ୟୁକ୍ରେନ ସେନାରେ ଯୋଗ ଦେଇଥିଲେ। ସାଇନିକେଶଙ୍କ ପିତାମାତା ମଧ୍ୟ ଏ ବିଷୟରେ ଅବଗତ ନଥିଲେ। ଯେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ତାଙ୍କ ପୁଅ ୟୁକ୍ରେନ ସେନାରେ ଯୋଗ ଦେଇଛି, ଉଭୟ ସ୍ତବ୍ଧ ହୋଇଯାଇଥିଲେ ।

ସାଇନିକେଶ ରବିଚନ୍ଦ୍ରନ ପାଠ ପଢ଼ିବାକୁ ୨୦୧୮ରେ ୟୁକ୍ରେନ ଯାଇଥିଲେ | ସେ ଖାର୍କିଭର ଜାତୀୟ ଏରୋସ୍ପେସ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ | ଜୁଲାଇ ୨୦୨୨ରେ ତାଙ୍କ କୋର୍ସ୍ ଶେଷ ହେବାକୁ ଥିଲା, କିନ୍ତୁ ଏହାପୂର୍ବରୁ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ​​। ଏବଂ ସବୁ କିଛି ହଠାତ୍ ବଦଳି ଯାଇଥିଲା ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷର ୟୁକ୍ରେନ ଉପରେ ଆକ୍ରମଣ ପରେ ସାଇନିକେଶଙ୍କ ଘର ସହିତ ସମ୍ପର୍କ ଚ୍ଛିନ୍ନ ହୋଇଯାଇଥିଲା। ସେପଟେ ୟୁକ୍ରେନରୁ ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଭାରତ ସରକାର ଅପରେସନ୍ ଗଙ୍ଗା ଆରମ୍ଭ କରିଥିଲେ, କିନ୍ତୁ ସାଇନିକେଶଙ୍କ ବିଷୟରେ କୌଣସି ସୂଚନା ନ ପାଇ ତାଙ୍କ ପିତାମାତା ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିଥିଲେ। ଦୂତାବାସର ଅଧିକାରୀମାନେ ସାଇନିକେଶଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କଲାବେଳେ ଜଣାପଡ଼ିଥିଲା ଯେ ସେ ୟୁକ୍ରେନ ସେନାରେ ସାମିଲ ହୋଇଛନ୍ତି। ସାଇନିକେଶ କହିଥିଲେ ଯେ ରୁଷ ବିରୋଧରେ ଯୁଦ୍ଧ କରିବା ପାଇଁ ସେ ୟୁକ୍ରେନ ସେନାରେ ଯୋଗ ଦେଇଛନ୍ତି।

ସାଇନିକେଶଙ୍କ ପିତାମାତା କହିଛନ୍ତି ଯେ ତାଙ୍କ ପୁଅ ସେନାରେ ଯୋଗଦେବାକୁ ଚାହୁଁଥିଲେ। ସେ ଭାରତୀୟ ସେନାରେ ଯୋଗଦେବା ପାଇଁ ମଧ୍ୟ ଆବେଦନ କରିଥିଲେ, କିନ୍ତୁ କମ୍ ଉଚ୍ଚତା ଯୋଗୁଁ ତାଙ୍କ ଆବେଦନ ଅଗ୍ରାହ୍ୟ ହୋଇଯାଇଥିଲା।

Comments are closed.