ଲୋକପ୍ରିୟ ମାଲାୟଲମ୍ ଫିଲ୍ମ ନିର୍ଦ୍ଦେଶକ ସିଦ୍ଦିକିଙ୍କ ପରଲୋକ

କୋଚି : ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ସ୍କ୍ରିପ୍ଟ ଲେଖକ ସିଦ୍ଦିକିଙ୍କ ୬୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ କୋଚିର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସିଦ୍ଦିକିଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ, ନିର୍ଦ୍ଦେଶକ ଲିଭର ସମସ୍ୟାରେ ପୀଡିତ ଥିଲେ। ଚିକିତ୍ସା ସମୟରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।

ସିଦ୍ଦିକୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ମଙ୍ଗଳବାର ତାଙ୍କୁ କୋଚିର ଅମୃତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏକ୍ସଟ୍ରାକୋରପୋରାଲ୍ ମେମ୍ବ୍ରେନ୍ ଅମ୍ଳଜାନ (ଇସିଏମ୍ଓ) ମେସିନ୍ ମାଧ୍ୟମରେ ତାଙ୍କୁ ଅକ୍ସିଜେନ ଦିଆଯାଉଛି ବୋଲି ହସ୍ପିଟାଲ ତରଫରୁ ଏକ ବିବୃତ୍ତିରେ କୁହାଯାଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ ଯୋଗୁଁ ମଙ୍ଗଳବାର ରାତି ୯.୧୦ରେ ତାଙ୍କ ମୃତ୍ୟୁ ହୋଇଥିଲା ।

ସିଦ୍ଦିକି ଅନେକ ସୁପରହିଟ୍ ଫିଲ୍ମର ନିର୍ମାତା/ନିର୍ଦ୍ଦେଶକ ଥିଲେ । ବିଶେଷ କରି ତାଙ୍କ ବନ୍ଧୁ ଲାଲଙ୍କ ସହ ମିଶି ସେ ଅନେକ ହିଟ୍ ଫିଲ୍ମ ଦେଇଥିଲେ । ଏହି ଯୋଡି ‘ସିଦ୍ଦିକି-ଲାଲ’ ଭାବେ ପ୍ରସିଦ୍ଧ ଥିଲେ | ତାଙ୍କର କିଛି ହିଟ୍ ଚଳଚ୍ଚିତ୍ର ହେଲା ‘ରାମୋଜୀ ରାଓ ସ୍ପିକିଙ୍ଗ୍’, ‘ଗଡଫାଦର’, ‘ଭିଏତନାମ କଲୋନୀ’, ‘କାବୁଲିୱାଲା’, ‘ଇନ୍ ହରିହର ନଗର’ । ସିଦ୍ଦିକଙ୍କ ଅକାଳ ମୃତ୍ୟୁରେ ମାଲାୟାଲମ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ସିଦ୍ଦିକିଙ୍କ ବିୟୋଗ ମାଲାୟଲମ୍ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କହିଛନ୍ତି ।

Comments are closed.