ଭାରତୀୟ ଫୁଟବଲର ‘ସ୍ବର’ ନୋଭି କପାଡିଆ ଆଉ ନାହାନ୍ତି

ନୂଆଦିଲ୍ଲୀ: ଭାରତୀୟ ଫୁଟବଲର ସ୍ବର ତଥା ‘ଏନସାଇକ୍ଲୋପିଡ଼ିଆ’ ଭାବେ ପରିଚିତ ବିଶିଷ୍ଟ ଭାଷ୍ୟକାର ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ନୋଭି କପାଡିଆଙ୍କ ଗୁରୁବାର ଦେହାନ୍ତ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। କପାଡିଆ ଅବିବାହିତ ଥିଲେ ଏବଂ ଭଉଣୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଆଉ କେହି ନଥିଲେ |

ନଅ ଫିଫା ବିଶ୍ୱକପ କଭର୍ କରିଥିବା କପାଡିଆ ଗତ ଏକ ମାସ ଧରି ଭେଣ୍ଟିଲେଟରରେ ଥିଲେ। ସେ ‘ମୋଟର ନ୍ୟୁରୋନ୍’ ରୋଗରେ ପୀଡିତ ଥିଲେ । ଏହି ରୋଗ ଦ୍ବାରା ମେରୁଦଣ୍ଡ ଏବଂ ମସ୍ତିଷ୍କର ସ୍ନାୟୁଗୁଡ଼ିକ ଧୀରେ ଧୀରେ ନିଷ୍କ୍ରିୟ ହୋଇଯାଏ | ଏହି କାରଣରୁ ସେ ଗତ ଦୁଇ ବର୍ଷ ଧରି ଘରେ ହିଁ ରହୁଥିଲେ ।

ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ହେବାକୁ ବାଧ୍ୟ ହୋଇଥିବା କପାଡିଆ ପେନ୍‌ସନ୍‌ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ନିକଟରେ ଚର୍ଚ୍ଚାରେ ଥିଲେ । ପୂର୍ବତନ କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ଏଥିରେ ହସ୍ତକ୍ଷେପ କରି ତାଙ୍କୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଇଥିଲେ।

ବହୁ ବର୍ଷ ଧରି ଅଲିମ୍ପିକ୍ସ, ଏସୀୟ ଗେମ୍ସ, କମନୱେଲଥ ଗେମ୍ସରେ କପାଡିଆ କମେଣ୍ଟ୍ରି କରିଆସୁଥିଲେ। ଅଶୋକା କ୍ଲବର ପ୍ରତିଷ୍ଠାତା କାପାଡିଆ ସ୍ଥାନୀୟ ଲିଗରେ ଫୁଟବଲ୍ ଖେଳିଥିଲେ। ସେ ‘ବେୟାରଫୁଟ୍ ଟୁ ବୁଟ୍ସ: ଦି ମେନି ଲାଇଭ୍ସ ଅଫ୍ ଇଣ୍ଡିଆନ ଫୁଟବଲ୍ ‘ ନାମକ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି। ଏହାଛଡ଼ା ୨୦୧୪ରେ ଫୁଟବଲ ପ୍ରେମୀଙ୍କ ପାଇଁ ସେ ଏକ ଗାଇଡ୍ ଲେଖିଥିଲେ |

Comments are closed.