ଉତ୍ତରାଖଣ୍ଡ ଟନେଲ୍ ସଙ୍କଟ: ସପ୍ତମ ଦିନରେ ଉଦ୍ଧାର କାର୍ଯ୍ୟ, ଡ୍ରିଲିଂ ମେସିନ୍ ଭାଙ୍ଗିବାରୁ ଅଟକିଲା ଅପରେସନ୍

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ସିଲ୍କୟାରା-ବାରାକୋଟ ଟନେଲ ଭିତରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଆଜି ସପ୍ତମ ଦିନରେ ପହଞ୍ଚିଛି । ଉଦ୍ଧାରକାରୀ ଦଳ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଭୁଶୁଡ଼ି ପଡ଼ିଥିବା ଟନେଲରେ ୨୪ ମିଟର ପର୍ଯ୍ୟନ୍ତ ଖୋଳିବାରେ ସଫଳ ହୋଇଥିଲେ। ଶ୍ରମିକମାନଙ୍କୁ ବାହର କରିବାକୁ ୬୦ ମିଟର ପର୍ଯ୍ୟନ୍ତ ଖୋଳିବାକୁ ପଡ଼ିବ। ଏବେ ଇନ୍ଦୋରରୁ ଆଉ ଏକ ନୂଆ ବୋରିଂ ମେସିନ୍ ଅଣାଯାଉଛି | ଏହି ମେସିନ୍ ଆଜି ଅପରାହ୍ନ ସୁଦ୍ଧା ଉଦ୍ଧାର ସ୍ଥଳରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଡ୍ରିଲିଂ ମେସିନ୍ ଖରାପ ହୋଇଯିବାରୁ ଗତ ୩୨ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି।

ଗତକାଲି ୨୨ ମିଟର ଖୋଳାଯିବା ପରେ ମେସିନ୍ ଭାଙ୍ଗି ଯାଇଥିଲା | ଭୁଶୁଡ଼ି ପଡ଼ିଥିବା ଟନେଲରେ ଆଉ ୩୦ ରୁ ୩୫ ମିଟର ଖୋଳିବା ପରେ ଫସି ରହିଥିବା ଶ୍ରମିକଙ୍କୁ ବାହାର କରିବା ସହଜ ହେବ ବୋଲି କୁହାଯାଉଛି । ଏକ ୯୦୦ ଏମ୍ଏମ୍ ଷ୍ଟିଲ୍ ପାଇପ୍ ଯୋଗେ ଶ୍ରମିକ ମାନଙ୍କୁ ବାହାର କରିବାକୁ ଉଦ୍ୟମ କରାଯାଉଛି ।

ଉଦ୍ଧାର କାର୍ଯ୍ୟ ନେଇ ଜାତୀୟ ରାଜପଥ ଏବଂ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ୍ (ଏନ୍ଏଚ୍ଆଇଡିସିଏଲ୍) ସଦ୍ୟତମ ଅପଡେଟରେ କହିଛି ଯେ ଫଶି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଏକ ପଞ୍ଚମ ପାଇପ୍ ଲଗାଯାଇଛି। ସବୁ ଶ୍ରମିକ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ଅଛନ୍ତି। ସେମାନଙ୍କୁ ଅକ୍ସିଜେନ୍, ଔଷଧ, ଖାଦ୍ୟ ଓ ଜଳ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଏକ ଏୟାର୍ କମ୍ପ୍ରେସଡ୍ ପାଇପ୍ ମାଧ୍ୟମରେ ଯୋଗାଇ ଦିଆଯାଉଛି ।

ଏନ୍ଏଚ୍ଆଇଡିସିଏଲ୍ ନିର୍ଦ୍ଦେଶକ ଅଂଶୁ ମନୀଷ ଖାଲଖୋ କହିଛନ୍ତି, ‘ଟନେଲରେ ଫସି ରହିଥିବା ଲୋକଙ୍କ ମନୋବଳ ବଜାୟ ରଖିବା ଆବଶ୍ୟକତା ରହିଛି । ମାନସିକ ବିଶେଷଜ୍ଞଙ୍କ ସେମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି।

Comments are closed.