‘କଲେଜିୟମ୍ ସିଷ୍ଟମ’କୁ ନେଇ ପ୍ରଶ୍ନ ଉଠାଇଲେ ଆଇନ ମନ୍ତ୍ରୀ ରିଜିଜୁ, କହିଲେ ଏହା ସମ୍ବିଧାନର ପରିପନ୍ଥୀ 

ନୂଆଦିଲ୍ଲୀ: ଦେଶର ନ୍ୟାୟପାଳିକାରେ ବିଚାରପତି ନିଯୁକ୍ତି ପ୍ରକ୍ରିୟାକୁ ‘କଲେଜିୟମ୍ ସିଷ୍ଟମ୍’ କୁହାଯାଏ | ସମ୍ପ୍ରତି ଏହା ଚର୍ଚ୍ଚାର ବିଷୟ ପାଲଟିଛି | ଦେଶର ଆଇନ ମନ୍ତ୍ରୀ କିରେନ ରିଜିଜୁ ପୁଣି କଲେଜିୟମ ସିଷ୍ଟମ ଉପରେ ପୁଣି ପ୍ରଶ୍ନ ଉଠାଇଛନ୍ତି । ସେ କଲେଜିୟମ ସିଷ୍ଟମକୁ ଭାରତୀୟ ସମ୍ବିଧାନର ପାଇଁ ଏକ ଅପରିଚିତ ‘ଏଲିୟେନ’ ଭାବେ ଅଭିହିତ କରିଛନ୍ତି ।

ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା ଉପରେ ଆକ୍ରମଣ କରି ଆଇନ ମନ୍ତ୍ରୀ କହିଛନ୍ତି ଯେ ସମ୍ବିଧାନ ପାଇଁ କଲେଜିୟମ ସିଷ୍ଟମ ଏକ ସମ୍ପୂର୍ଣ୍ଣ ଅଜଣା ଶବ୍ଦ। ସେ କହିଛନ୍ତି ଯେ ସୁପ୍ରିମକୋର୍ଟ ତାଙ୍କ ବିବେକାନୁମୋଦିତ ନିଷ୍ପତ୍ତି ଅନୁଯାୟୀ କଲେଜିୟମ ଗଠନ କରିଛନ୍ତି। ରିଜିଜୁ କହିଛନ୍ତି ଯେ ୧୯୯୧ ପୂର୍ବରୁ ବିଚାରପତିମାନେ ସରକାରଙ୍କ ଦ୍ଵାରା ନିଯୁକ୍ତ ହେଉଥିଲେ ।

ଏକ ନ୍ୟୁଜ୍ ଚ୍ୟାନେଲ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ରିଜିଜୁ କହିଛନ୍ତି ଯେ, ଭାରତର ସମ୍ବିଧାନ ସମସ୍ତଙ୍କ ପାଇଁ ଏବଂ ବିଶେଷ କରି ସରକାରଙ୍କ ପାଇଁ ଏକ ପବିତ୍ର ଦସ୍ତାବିଜ। କୋର୍ଟ କିମ୍ବା କିଛି ବିଚାରପତିଙ୍କ ନିଷ୍ପତ୍ତି ଯୋଗୁଁ କୌଣସି ବି କଥା ସମ୍ବିଧାନ ପାଇଁ ସମ୍ପୂର୍ଣ୍ଣ ଅଜଣା ହୋଇପାରେ। ଏପରି ପରିସ୍ଥିତିରେ ଆପଣ କିପରି ଆଶା କରିପାରିବେ ଯେ ଦେଶ ସେହି ନିଷ୍ପତ୍ତିକୁ ସମର୍ଥନ କରିବ।

ରିଜିଜୁ କହିଛନ୍ତି ଯେ ଆମ ସମ୍ବିଧାନ ପାଇଁ କଲେଜିୟମ୍ ବ୍ୟବସ୍ଥା ଏକ ସମ୍ପୂର୍ଣ୍ଣ ଅପରିଚିତ ଶବ୍ଦ | ସମ୍ବିଧାନରେ କଲେଜିୟମ ସିଷ୍ଟମ କେଉଁଠି ଉଲ୍ଲେଖ କରାଯାଇଛି କି ବୋଲି ରିଜିଜୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ କଲେଜିୟମ୍ ସିଷ୍ଟମରେ ତ୍ରୁଟି ରହିଛି ଏବଂ ଲୋକେ ଏହି ବ୍ୟବସ୍ଥା ସ୍ୱଚ୍ଛ ନୁହେଁ ବୋଲି କହୁଛନ୍ତି। କିନ୍ତୁ ଏଥିପାଇଁ କେହି ଉତ୍ତରଦାୟୀ ହେବାକୁ ନାରାଜ।

Comments are closed.