ଲୋକସଭା ନିର୍ବାଚନ: ଅମାନତ ହରାଇଥିବା ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ିଛି

ନୂଆଦିଲ୍ଲୀ: ଦେଶରେ ୧୯୫୧ ମସିହାରେ ଅନୁଷ୍ଠିତ ପ୍ରଥମ ଲୋକସଭା ନିର୍ବାଚନ ଠାରୁ ଆରମ୍ଭ କରି ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ୭୧ ହଜାରରୁ ଅଧିକ ପ୍ରାର୍ଥୀ ନିଜ ଅମାନତ ବଞ୍ଚାଇବାରେ‌ ବିଫଳ ହୋଇଛନ୍ତି । ନିର୍ବାଚନ କମିଶନଙ୍କ ତଥ୍ୟରୁ ଏହା ଜଣାପଡ଼ିଛି ।

୨୦୧୯ ଲୋକସଭା ନିର୍ବାଚନରେ ​​୮୬ ପ୍ରତିଶତ ପ୍ରାର୍ଥୀ ଅମାନତ ହରାଇଥିଲେ ।

ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ, ଯେଉଁ ପ୍ରାର୍ଥୀମାନେ ମୋଟ ଭୋଟ୍ ର ଏକ ଷଷ୍ଠାଂଶ ହାସଲ କରିବାରେ ବିଫଳ ହୁଅନ୍ତି, ସେମାନଙ୍କ ଅମାନତ ଜବତ କରାଯାଇ ରାଜକୋଷରେ ଜମା କରାଯିବ।

ପ୍ରଥମ ଲୋକସଭା ନିର୍ବାଚନ ଠାରୁ ଆରମ୍ଭ କରି ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ୯୧,୧୬୦ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତିି । ସେଥିମଧ୍ୟରୁ ୭୧,୨୪୬ ପ୍ରାର୍ଥୀଙ୍କ ଅମାନତ ରାଶି ଜବତ ହୋଇଛି । ଏହି ସଂଖ୍ୟା ମୋଟ ପ୍ରାର୍ଥୀଙ୍କ ୭୫ ପ୍ରତିଶତ।

୧୯୫୧ ମସିହାରେ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ଅମାନତ ରାଶି ପରିମାଣ ୫୦୦ ଟଙ୍କା ଓ ଏସସି/ଏସଟି ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ଥିଲା । ବର୍ତ୍ତମାନ ଏହି ରାଶି ସାଧାରଣ ବର୍ଗ ପାଇଁ ୨୫ ହଜାର ଟଙ୍କା ଏବଂ ଏସସି / ଏସଟି ବର୍ଗ ପାଇଁ ୧୨,୫୦୦ ଟଙ୍କାକୁ ବୃଦ୍ଧି ପାଇଛି।

ରାଜନୈତିକ ବିଶ୍ଳେଷକମାନଙ୍କ ମତରେ ଅମାନତ ବଞ୍ଚାଇବା ପ୍ରାର୍ଥୀଙ୍କ ପାଇଁ ସମ୍ମାନର ବିଷୟ ହୋଇଥାଏ। ଅନ୍ୟପକ୍ଷରେ ଅମାନତ ହରାଇବା ଲଜ୍ଜାଜନକ ବୋଲି ବିବେଚନା କରାଯାଏ।

୨୦୧୯ ଲୋକସଭା ନିର୍ବାଚନରେ ​​ବହୁଜନ ସମାଜ ପାର୍ଟି (ବିଏସପି)ର ସର୍ବାଧିକ ପ୍ରାର୍ଥୀ ଅମାନତ ହରାଇଥିଲେ । ବିଏସପି ୩୮୩ଟି ଆସନରେ ପ୍ରାର୍ଥୀ ଦେଇଥିଲା, ସେଥିମଧ୍ୟରୁ ୩୪୫ ଜଣ ଅମାନତ ହରାଇଥିଲେ। ସେହିପରି କଂଗ୍ରେସ ୪୨୧ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ୧୪୮ଟି ଆସନରେ ଦଳର ପ୍ରାର୍ଥୀମାନେ ଅମାନତ ରାଶି ହରାଇଥିଲେ।

ସରକାରୀ ରେକର୍ଡ ଅନୁଯାୟୀ, ଗତ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି)ର ୫୧ ଜଣ ପ୍ରାର୍ଥୀ ସିପିଆଇର ୪୯ ପ୍ରାର୍ଥୀଙ୍କ ମଧ୍ୟରୁ ୪୧ ଜଣଙ୍କ ଅମାନତ ଜବତ କରାଯାଇଥିଲା।

୧୯୫୧-୫୨ ମସିହାରେ ପ୍ରଥମ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରାୟ ୪୦ ପ୍ରତିଶତ ପ୍ରାର୍ଥୀ ସେମାନଙ୍କ ଅମାନତ ରାଶି ହରାଇଥିଲେ। ସେହି ନିର୍ବାଚନରେ ସର୍ବମୋଟ ​​୧୮୭୪ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯେଉଁଥିରୁ ୭୪୫ ଜଣଙ୍କ ଅମାନତ ଜବତ ହୋଇଥିଲା ।

ପରବର୍ତ୍ତୀ ଲୋକସଭା ନିର୍ବାଚନରେ ଅମାନତ ହରାଇଥିବା ​​ପ୍ରାର୍ଥୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିଲା ​​। ଏକାଦଶ ଲୋକସଭା ପାଇଁ ୧୯୯୬ରେ ଅନୁଷ୍ଠିତ ନିର୍ବାଚନରେ ​​୯୧ ପ୍ରତିଶତ ଅର୍ଥାତ୍ ୧୩,୯୫୨ ପ୍ରାର୍ଥୀଙ୍କ ମଧ୍ୟରୁ ୧୨,୬୮୮ ଜଣ ଅମାନତ ବଞ୍ଚାଇବାରେ ବିଫଳ ହୋଇଥିଲେ । ଏହି ନିର୍ବାଚନରେ ​​ସର୍ବାଧିକ ସଂଖ୍ୟକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

୧୯୯୧-୯୨ର ଲୋକସଭା ନିର୍ବାଚନରେ ​​୮୭୪୯ ପ୍ରାର୍ଥୀଙ୍କ ମଧ୍ୟରୁ ୭୫୩୯ ଜଣଙ୍କ ଅମାନତ ଜବତ କରାଯାଇଥିଲା ଯାହାକି ମୋଟ ପ୍ରାର୍ଥୀଙ୍କ ୮୬ ପ୍ରତିଶତ ଥିଲା।

୨୦୦୯ ସାଧାରଣ ନିର୍ବାଚନରେ ୮୦୭୦ ପ୍ରାର୍ଥୀଙ୍କ ମଧ୍ୟରୁ ୬୮୨୯ ର ଅମାନତ ଅର୍ଥାତ୍ ୮୫ ପ୍ରତିଶତ ଅମାନତ ଜବତ କରାଯାଇଥିଲା। ଅନ୍ୟପକ୍ଷରେ ୨୦୧୪ ଲୋକସଭା ନିର୍ବାଚନରେ ୮୨୫୧ ପ୍ରାର୍ଥୀଙ୍କ ମଧ୍ୟରୁ ୭,୦୦୦ ପ୍ରାର୍ଥୀ ଅମାନତ ହରାଇଥିଲେ। ଏହି ତଥ୍ୟରୁ ଜଣାପଡ଼ୁଛି ଯେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଲୋକଙ୍କ ଇଚ୍ଛା ଉପରେ ଅମାନତ ଜବତ ହେବା ପ୍ରତିକୂଳ ପ୍ରଭାବ ପକାଇବ ନାହିଁ।

ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର)ର ପ୍ରତିଷ୍ଠାତା ସଦସ୍ୟ ତଥା ଟ୍ରଷ୍ଟି ଜଗଦୀପ ଏସ୍ ଚୋକର କହିଛନ୍ତି, ସମାଜର କିଛି ବର୍ଗ ପାଇଁ ଟଙ୍କା ଆଉ ଗୁରୁତ୍ୱ ବହନ କରୁନି । ଧନୀ ଓ ଗରିବଙ୍କ ମଧ୍ୟରେ ବ୍ୟବଧାନ ଏତେ ଅଧିକ ଯେ ଅନେକ ଲୋକ ବିନା କୌଣସି କାରଣରେ ନିର୍ବାଚନ ଲଢ଼ୁଛନ୍ତି। ଲୋକଙ୍କ ପାଇଁ ଅମାନତ ହରାଇବା ଆଉ ସେଭଳି ଫରକ୍ ପଡ଼ୁନାହିଁ ବୋଲି ସେ କହିଛନ୍ତିି।

Comments are closed.