ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍:ପ୍ରଥମ ରାଉଣ୍ଡ୍ ଭୋଟିଂ ପରେ ଋଷି ସୁନକ ଆଗୁଆ

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ପୂର୍ବତନ ଅର୍ଥମନ୍ତ୍ରୀ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଏବେ ସବୁଠାରୁ ଆଗରେ ଅଛନ୍ତି | ଏହି ରେସରେ ଅହୁରି ୬ ନେତା ଥିବା ବେଳେ ପ୍ରଧାନମନ୍ତ୍ରୀ ପଦ ପାଇଁ ସୁନକଙ୍କ ଦାବିଦାରୀ ମଜବୁତ୍ ହୋଇଛି । ଆଜି କଂଜରଭେଟିଭ୍ ପାର୍ଟିର ନେତା ନିର୍ବାଚନ ପାଇଁ ପ୍ରଥମ ରାଉଣ୍ଡ ମତଦାନ ହୋଇଥିବା ବେଳେ ସୁନକ ସର୍ବାଧିକ ମତ ହାସଲ କରିଛନ୍ତି। ସୁନକଙ୍କୁ ୮୮ଟି ଭୋଟ୍ ମିଳିଥିବା ବେଳେ ବାଣିଜ୍ୟ ମନ୍ତ୍ରୀ ପେନି ମୋର୍ଡଣ୍ଟଙ୍କୁ ୭୭ ଭୋଟ୍ ଏବଂ ବିଦେଶ ମନ୍ତ୍ରୀ ଲିଜ ଟ୍ରସ୍‌ଙ୍କୁ ୫୫ ଭୋଟ୍ ମିଳିଛି। ଇତିମଧ୍ୟରେ ପୂର୍ବ କ୍ୟାବିନେଟ୍ ମନ୍ତ୍ରୀ ଜେରେମି ହଣ୍ଟ ଏବଂ ବର୍ତ୍ତମାନର ଚାନ୍ସଲର ନାଦମୀ ଜାହାବି ପ୍ରଥମ ପର୍ଯ୍ୟାୟ ଭୋଟ ପରେ ନେତୃତ୍ବ ଦୌଡ଼ରୁ ବାଦ୍ ପଡ଼ିଛନ୍ତି। ପ୍ରଥମ ପର୍ଯ୍ୟାୟ ମତଦାନରେ ସେମାନେ ଅତ୍ୟାବଶ୍ୟକ ୩୦ଟି ଭୋଟ୍ ହାସଲ କରିବାରେ ବିଫଳ ହୋଇଛନ୍ତି | ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଦୌଡ଼ରେ ସବୁଠାରୁ ଆଗରେ ଥିବା ସୁନକଙ୍କ ପାଖରେ ଏବେ ସର୍ବାଧିକ ସାଂସଦଙ୍କ ସମର୍ଥନ ରହିଛି। ୪୨ ବର୍ଷୀୟ ସୁନକ ତାଙ୍କ ପ୍ରଚାର ଅଭିଯାନକୁ ସଂପୂର୍ଣ୍ଣ ସକରାତ୍ମକ ରଖିଛନ୍ତି ଏବଂ ଏହାକୁ ବିଭିନ୍ନ ମହଲ ପ୍ରଶଂସା କରିଛନ୍ତି। ଶେଷ ପର୍ଯ୍ୟାୟ ଭୋଟିଂ ପରେ ନୂଆ ପ୍ରଧାନମନ୍ତ୍ରୀ କିଏ ହେବେ ତାହା ସେପ୍ଟେମ୍ବର ୫ରେ ଘୋଷଣା କରାଯିବ।

Comments are closed.