ଜନସନ ଓହରିଲେ , ଋଷି ସୁନକ ହୋଇପାରନ୍ତି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ  

ଲଣ୍ଡନ: କଞ୍ଜରଭେଟିଭ୍ ପାର୍ଟି ସାଂସଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ସମ୍ଭାବନା ରହିଛି । ଏହି ଦୌଡ଼ରୁ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଓହରିଯିବା ପରେ ଋଷି ସୁନକଙ୍କ ପଥ ଏକପ୍ରକାର ପରିଷ୍କାର ହୋଇଯାଇଛି । ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ କିଏ ହେବ ସେନେଇ ଆଜି ଚିତ୍ର ସ୍ପଷ୍ଟ ହୋଇଯିବ ।

ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ଇନ୍‌ଫୋସିସ୍ ସହପ୍ରତିଷ୍ଠାତା ଏନ୍.ଆର୍. ନାରାୟଣମୂର୍ତିଙ୍କ ୪୨ ବର୍ଷୀୟ ଜ୍ବାଇଁ ଋଷି ସୁନକଙ୍କ ପାଖରେ ପ୍ରାୟ ୧୫୦ ଏମ୍‌ପିଙ୍କ ସମର୍ଥନ ରହିଥିବା କୁହାଯାଉଛି । ଅନ୍ୟପକ୍ଷରେ ହାଉସ୍ ଅଫ୍ କମନ୍ସର ୪୯ ବର୍ଷୀୟା ଲିଡର ପେନି ମୋର୍ଡଣ୍ଟ ଏହି ଦୌଡ଼ରେ ସାମିଲ ହେବା ନେଇ ପ୍ରଥମେ ଘୋଷଣା କରିଥିଲେ ହେଁ ତାଙ୍କ ସପକ୍ଷରେ ମାତ୍ର ୨୪ ଜଣଙ୍କ ସମର୍ଥନ ରହିଛି।

ଅଗଷ୍ଟରେ କଞ୍ଜର୍ଭେଟିଭ୍ ପାର୍ଟି ନେତା ନିର୍ବାଚନରେ ଲିଜ୍ ଟ୍ରସଙ୍କ ଠାରୁ ଅଳ୍ପକେ ହାରିଯାଇଥିବା ସୁନକ ପ୍ରଧାନମନ୍ତ୍ରୀ ରେସରେ ରବିବାର ଦ୍ୱିତୀୟ ଥର ପାଇଁ ଆନୁଷ୍ଠାନିକ ଭାବେ ସାମିଲ ହୋଇଥିଲେ । ବ୍ରିଟେନ ଏକ ମହାନ୍ ଦେଶ କିନ୍ତୁ ଆମେ ଏକ ବୃହତ୍ ଆର୍ଥିକ ସଙ୍କଟକୁ ସାମ୍ନା କରୁଛୁ ମୁଁ ଦେଶର ଅର୍ଥନୀତିକୁ ସଜାଡ଼ିବାକୁ ଚାହେଁ। ଦଳକୁ ଏକାଠି କରି ଦେଶବାସୀଙ୍କ ସେବା କରିବାକୁ ଆଗ୍ରହୀ ବୋଲି ଋଷି ଟୁଇଟ୍‌ କରିଛନ୍ତି। ଏହି ଅବସରରେ ସେ କୋଭିଡ୍–୧୯ ମହାମାରୀ ଭଳି କଠିନ ସମୟରେ ଚାନ୍ସେଲର ଥବାବେଳେ ଦେଶର ଅର୍ଥନୀତିକୁ କିପରି ପରିଚାଳନା କରିଥିଲେ ସେନେଇ ନିଜ ଟ୍ରକ୍ ରେକର୍ଡ ସହ ଭିଜନ୍‌ ଷ୍ଟେଟ୍‌ମେଣ୍ଟ ଉପସ୍ଥାପନ କରିଛନ୍ତି । କରି ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ନିଜକୁ ସାମିଲ କରିଛନ୍ତି।

କ୍ଷମତା ଭାଗବଣ୍ଟା ନେଇ ଋଷି ଓ ବୋରିସ୍‌ଙ୍କ ମଧ୍ୟରେ ଡିଲ୍ ପାଇଁ ଶନିବାର ଆଲୋଚନା ହୋଇଥିଲା। ଏନେଇ ଋଷିଙ୍କ ସମର୍ଥକ ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଡୋମିନିକ୍ ରାବ କହିଛନ୍ତି, କଞ୍ଜରଭେଟିଭ ପାର୍ଟିର ଏକତା ବଜାୟ ରଖିବା ସକାଶେ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଛି। ଏହାର କିଛି ଘଣ୍ଟା ପରେ ଜନସନ ପ୍ରଧାନମନ୍ତ୍ରୀ ରେସରୁ ଓହରିବାକୁ ଘୋଷଣା କରିଥିଲେ । ଜନସନ କହିଛନ୍ତି ଯେ ପୁଣି ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କ ପାଖରେ ଯଥେଷ୍ଟ ସମର୍ଥନ ଅଛି । କିନ୍ତୁ ସେ ଏବେ ଏହି ରେସରେ ସାମିଲ ହେବା ଠିକ୍ ହେବ ନାହିଁ ।

Comments are closed.