ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍: ତୃତୀୟ ରାଉଣ୍ଡ ଭୋଟରେ ବି ଋଷି ସୁନକ ଆଗୁଆ

ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ତଥା କଞ୍ଜେରଭେଟିଭ୍ ପାର୍ଟି ନେତା ଦୌଡ଼ରେ ଋଷି ସୁନକ ଅଗ୍ରଣୀ ବଜାୟ ରଖିଛନ୍ତି । ଏହି ଭାରତୀୟ ବଂଶୋଦ୍ଭବ ନେତା ସୋମବାର ଅନୁଷ୍ଠିତ ତୃତୀୟ ରାଉଣ୍ଡ ଭୋଟରେ ମଧ୍ୟ ପ୍ରଥମ ସ୍ଥାନରେ ରହିଛନ୍ତି।

ଅପରପକ୍ଷରେ ସାଂସଦ ଟମ ଟୁଗେଣ୍ଡହଟ୍ ଏହି ରେସରେ ବହୁ ପଛରେ ପଡ଼ିଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକଙ୍କ ବ୍ୟତୀତ ବାଣିଜ୍ୟ ମନ୍ତ୍ରୀ ପେନି ମର୍ଡେଣ୍ଟ ଦୁଇ ନମ୍ବରରେ, ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସ ତୃତୀୟ ସ୍ଥାନରେ ଏବଂ କାମି ବାଡେନୋଚ ଚତୁର୍ଥ ସ୍ଥାନରେ ଅଛନ୍ତି।

ଜୁଲାଇ ୧୪ରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଭୋଟରେ ମଧ୍ୟ ଏହି ଚାରିଜଣ ପ୍ରାର୍ଥୀ ସମାନ ସ୍ଥାନରେ ଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ଋଷି ସୁନାକ ୧୦୧ ଭୋଟ ସହ ଆଗୁଆ ରହିଥିଲେ ଏବଂ ବର୍ତ୍ତମାନ ତୃତୀୟ ରାଉଣ୍ଡ ଭୋଟିଂରେ ସେ ୧୧୫ ଭୋଟରେ ଅଗ୍ରଣୀ ଅଛନ୍ତି।

ଏହି ଚାରିଜଣ ପ୍ରାର୍ଥୀଙ୍କ ପାଇଁ ମଙ୍ଗଳବାର ପୁଣିଥରେ ଭୋଟିଂ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀଙ୍କ ଦୌଡ଼ରେ କେବଳ ଦୁଇଜଣ ପ୍ରାର୍ଥୀ ନ ରହିବା ପର୍ଯ୍ୟନ୍ତ ଦଳର ସାଂସଦମାନଙ୍କ ପକ୍ଷରୁ ଭୋଟ୍ ପ୍ରକ୍ରିୟା ଜାରି ରହିବ। ଜୁଲାଇ ୨୧ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବା ସମ୍ଭାବନା ଅଛି |

ଶେଷରେ କଞ୍ଜେରଭେଟିଭ୍ ପାର୍ଟିର ସଦସ୍ୟମାନେ ପୋଷ୍ଟାଲ ବାଲାଟ୍ ଦ୍ୱାରା ଦଳର ନେତା ବାଛିବେ | ବ୍ରିଟେନରେ ବିଜେତା ପ୍ରାର୍ଥୀ ଦଳର ନେତା ସହିତ ପ୍ରଧାନମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଥାନ୍ତି। ସେପ୍ଟେମ୍ବର ୫ ସୁଦ୍ଧା ନୂଆ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରାଯିବା ସମ୍ଭାବନା ରହିଛି ।

Comments are closed.