ରୋହିତଙ୍କ ଆଉ ଏକ ମାଇଲଖୁଣ୍ଟ, ଏହି ମାମଲାରେ ଆଫ୍ରିଦିଙ୍କୁ ଟପିଲେ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ହିଟମ୍ୟାନ୍ ତଥା ଟି-୨୦ ଅଧିନାୟକ ରୋହିତ ଶର୍ମା ଶୁକ୍ରବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩୬ଟି ବଲରୁ ୫୫ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ତାଙ୍କର ଏହି ଇନିଂସରେ ପାଞ୍ଚଟି ବିଶାଳ ଛକା ସାମିଲ ଥିଲା । ରୋହିତ ଚତୁର୍ଥ ଓଭରର ଚତୁର୍ଥ ବଲରେ ଆଡାମ ମିଲନେଙ୍କ ବୋଲିଂରେ ଏକ ପୁଲ୍ ସଟ୍ ଖେଳି ମ୍ୟାଚର ପ୍ରଥମ ଛକା ମାରିବା ମାତ୍ରେ ସେ ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦିଙ୍କୁ ଟପିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ୪୫୦ ଛକା ମାରିବାରେ ରୋହିତ, ଆଫ୍ରିଦିଙ୍କୁ ପଛରେ ପକାଇ ଦେଇଛନ୍ତି। ରୋହିତ ୪୦୪ତମ ଇନିଂସରେ ଏହି ସଫଳତା ହାସଲ କରିଥିବାବେଳେ ଆଫ୍ରିଦି ୪୮୭ ଇନିଂସରେ ଏହି ସଂଖ୍ୟା ଛୁଇଁଥିଲେ | ଅନ୍ତର୍ଜାତୀୟ କ୍ରିକେଟରେ ୪୫୦ରୁ ଊର୍ଦ୍ଧ୍ବ ଛକା ମାରିବାରେ ରୋହିତ ହେଉଛନ୍ତି ଏକମାତ୍ର ଭାରତୀୟ।

ମୋଟ ଉପରେ କ୍ରିସ୍ ଗେଲ୍ ଏବଂ ଆଫ୍ରିଦି, ରୋହିତଙ୍କ ଠାରୁ ଆଗରେ ଅଛନ୍ତି | ଗେଲଙ୍କ ନାମରେ ଏଯାବତ ୫୫୩ଟି ଅନ୍ତର୍ଜାତୀୟ ଛକା ଥିବାବେଳେ ଆଫ୍ରିଦି ମୋଟ ୪୭୬ ଛକା ମାରିଛନ୍ତି। ରୋହିତ ଅନ୍ତର୍ଜାତୀୟ କ୍ରିକେଟରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୫୪ଟି ଛକା ମାରିଛନ୍ତି |

ରୋହିତ ୪୩ଟି ଟେଷ୍ଟ ମ୍ୟାଚରେ ୬୩ଟି ଛକା ମାରିଥିବା ବେଳେ ୨୨୭ଟି ଦିନିକିଆରେ ୨୪୪ଟି ଏବଂ ୧୧୮ ଟି-୨୦ରେ ୧୪୭ ଛକା ମାରିଛନ୍ତି। ତେବେ ଅନ୍ତର୍ଜାତୀୟ ଛକା ଦୃଷ୍ଟିରୁ ରୋହିତ ଖୁବ ଶୀଘ୍ର ଆଫ୍ରିଦିଙ୍କୁ ପଛରେ ପକାଇ ପାରନ୍ତି |

ସର୍ବାଧିକ ସଂଖ୍ୟକ ଟି-୨୦ ଆନ୍ତର୍ଜାତୀୟ ଛକା ମାମଲାରେ ରୋହିତ ଦ୍ବିତୀୟ ସ୍ଥାନରେ ଅଛନ୍ତି | ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗପ୍ଟିଲ ରୋହିତଙ୍କଠାରୁ ଆଗରେ ଅଛନ୍ତି। ୧୧୧ଟି ମ୍ୟାଚରେ ଗପ୍ଟିଲ ମୋଟ ୧୬୧ଟି ଛକା ମାରିଥିବା ବେଳେ ରୋହିତ ୧୧୮ଟି ମ୍ୟାଚରେ ୧୪୭ ଛକା ମାରିଛନ୍ତି। ଗେଲ୍ ୧୨୪ ଛକା ସହ ଟି-ଟ୍ୱେଣ୍ଟିରେ ତୃତୀୟ ସ୍ଥାନରେ ଅଛନ୍ତି | ଯଦି ରୋହିତ ଏହି ସିରିଜର ଶେଷ ମ୍ୟାଚ୍‌ରେ ଖେଳନ୍ତି ଓ ଆଉ ତିନିଟି ଛକା ମାରିଛନ୍ତି, ତେବେ ସେ ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଟି-୨୦ ଅନ୍ତର୍ଜାତିକୀରେ ୧୫୦ ଛକା ମାରିବାରେ କୀର୍ତ୍ତିମାନ ସ୍ଥାପନ କରିବେ ।

Comments are closed.