ରୋହିତ-ଜାଡେଜାଙ୍କ ଶତକ, ଡେବ୍ୟୁରେ ଚମକିଲେ ସରଫରାଜ; ଭାରତ ୩୨୬/୫

ରାଜକୋଟ: ଅଧିନାୟକ ରୋହିତ ଶର୍ମା ଏବଂ ରବୀନ୍ଦ୍ର ଜାଡେଜାଙ୍କ ଶତକୀୟ ଇନିଂସ ବଳରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତ ବିପର୍ଯ୍ୟୟରୁ ମୁକୁଳି ସ୍ଥିତି ସୁଧାରି ନେଇଛି । ଟସ୍ ଜିତି ବ୍ୟାଟିଂ କରିଥିବା ଭାରତ ପ୍ରଥମ ଦିନରେ ୫ ୱିକେଟ୍ ହରାଇ ୩୨୬ ରନ୍ କରିଛି । ଷ୍ଟମ୍ପ୍ ଅପସାରଣ ବେଳକୁ ଜାଡେଜା ୧୧୦ ରନ୍ କରି ଅପରାଜିତ ରହିଛନ୍ତି । ତାଙ୍କ ସହ କୁଲଦୀପ ଯାଦବ ୧ ରନରେ ବ୍ୟାଟିଂ କରୁଛନ୍ତି । ନିଜ ଡେବ୍ୟୁରେ ଯୁବ ବ୍ୟାଟ୍ସମ୍ୟାନ୍ ସରଫରାଜ୍ ଖାନ୍ ମଧ୍ୟ ଚମତ୍କାର ଅର୍ଦ୍ଧଶତକ ହାସଲ କରିଛନ୍ତିି ।

ଚତୁର୍ଥ ୱିକେଟ୍ ପାଇଁ ରୋହିତ ଓ ଜାଡେଜା ୨୦୪ ରନ୍ ଭାଗିଦାରୀ କରିଥିଲେ। ରୋହିତ ଶେଷରେ ଫର୍ମକୁ ଫେରି କ୍ୟାରିୟରର ୧୧ତମ ଟେଷ୍ଟ ଶତକ ହାସଲ କରିଥିଲେ । ସେ ୧୪ଟି ଚୌକା ଓ ୩ଟି ଛକା ସହାୟତାରେ ୧୩୧ ରନ୍ କରିଥିଲେ। ଜାଡେଜା ନିଜର ଚତୁର୍ଥ ଟେଷ୍ଟ ଶତକ ହାସଲ କରିଥିଲେ। ଏହି ଶତକୀୟ ଇନିଂସ୍ ଅବସରରେ ଜାଡେଜା ଏହି ଫର୍ମାଟରେ ୩,୦୦୦ ରନ୍ ପୂରଣ କରିଥିଲେ।

ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳର ଆରମ୍ଭ ଭଲ ହୋଇନଥିଲା । ଭାରତ ମାତ୍ର ୩୩ ରନରେ ୩ ୱିକେଟ୍ ହରାଇ ଅସୁବିଧାରେ ପଡ଼ିଥିଲା । ଯଶସ୍ୱୀ ଜୈସୱାଲ (୧୦), ଶୁଭମାନ ଗିଲ (୦) ଏବଂ ରଜତ ପାଟିଦାର (୫) ଶସ୍ତାରେ ପ୍ୟାଭିଲିୟନ ଫେରିଥିଲେ। ଏହା ପରେ ରୋହିତ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଜାଡେଜାଙ୍କ ସହ ୨୦୪ ରନର ଭାଗିଦାରୀ କରି ଭାରତୀୟ ଇନିଂସ ସମ୍ଭାଳିଥିଲେ । ରୋହିତ ଆଉଟ୍ ହେବା ପରେ ଡେବୁଟାଣ୍ଟ ସରଫରାଜ କ୍ରିଜକୁ ଓହ୍ଲାଇବା କ୍ଷଣି ଷ୍ଟାଡିୟମ ଚାରିପଟେ ସଟ୍ ଖେଳି ଦ୍ରୁତ ହାରରେ ରନ୍ ସଂଗ୍ରହ କରିଥିଲେ। ମୁମ୍ବାଇର ଏହି ଯୁବ ବ୍ୟାଟ୍ସମ୍ୟାନ୍ ମାତ୍ର ୪୮ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଜାଡେଜା ଓ ସରଫରାଜ ପଞ୍ଚମ ଓ୍ବିକେଟରେ ୭୭ ରନ୍ ଯୋଗ କରିଥିଲେ। ଏଥିମଧ୍ୟରୁ ସରଫରାଜ ହିଁ ଅଧିକାଂଶ ରନ୍ ଯୋଡ଼ିଥିଲେ। ତେବେ ଦିନର ଶେଷ ଆଡକୁ ସରଫରାଜ ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ୍ ହୋଇଥିଲେ । ସରଫରାଜ ୬୬ ବଲରେ ୯ଟି ଚୌକା ଓ ଗୋଟିଏ ଛକା ସହ ଆକର୍ଷଣୀୟ ୬୨ ରନ୍ କରିଥିଲେ।

ଇଂଲଣ୍ଡ ତରଫରୁ ଦ୍ରୁତ ବୋଲର ମାର୍କ ଉଡ୍ ସର୍ବାଧିକ ତିନୋଟି ୱିକେଟ୍ ନେଇଥିଲେ। ଭାରତ ପକ୍ଷରୁ ଏହି ଟେଷ୍ଟରେ ସରଫରାଜ ଖାନଙ୍କ ସହ ଓ୍ବିକେଟ୍ କିପର ଧ୍ରୂବ ଜୋରେଲ୍ ଡେବ୍ୟୁ କରିଛନ୍ତିି ।

Comments are closed.