ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରୁ ରୋହିତ ବାଦ୍, ରାହୁଲ ନେବେ ନେତୃତ୍ୱ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା କରାଯାଇଛି । ନବନିଯୁକ୍ତ ଦିନିକିଆ ଅଧିନାୟକ ରୋହିତ ଶର୍ମା ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ମୁକୁଳି ନଥିବାରୁ ଏହି ସିରିଜରୁ ବାଦ୍ ପଡ଼ିଛନ୍ତି । ରୋହିତଙ୍କ ସ୍ଥାନରେ ଦିନିିକିଆ ସିରିଜରେ ଓପନର କେଏଲ୍ ରାହୁଲ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ । ଦିନିକିଆ ସିରିଜ୍ ପାଇଁ ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଉପଅଧିନାୟକ ରହିବେ ।
ବିରାଟ କୋହଲିଙ୍କ ସ୍ଥାନରେ ନିକଟରେ ରୋହିତଙ୍କୁ ଦିନିକିଆ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା । ତେବେ ଦକ୍ଷିଣ ଆଫ୍ରିକା ଗସ୍ତ ଠିକ୍ ପୂର୍ବରୁ ରୋହିତ ଅଭ୍ୟାସ ବେଳେ ଆଘାତପ୍ରାପ୍ତ ହୋଇଥିଲେ । ତାଙ୍କର ପୁଣି ହାମଷ୍ଟ୍ରିଂ ସମସ୍ୟା ଦେଖା ଦେଇଥିଲା । ଏହି କାରଣରୁ ସେ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଥିଲେ । ଏବେ ସେ ଦିନିକିଆ ସିରିଜରୁ ବି ବଞ୍ଚିତ ହୋଇଛନ୍ତି ।

ୟୁଏଇରେ ଅନୁଷ୍ଠିତ ବିଶ୍ୱକପ୍ ପରେ ଟି୨୦ ଅଧିନାୟକ ପଦ ଛାଡ଼ିଥିବା କୋହଲିଙ୍କୁ ଦିନିକିଆ ନେତୃତ୍ୱରୁ ବି ହଟାଯାଇଥିଲା । ଧଳା ବଲ୍ କ୍ରିକେଟରେ ଚୟନକର୍ତ୍ତା ଦୁଇ ଅଲଗା ଅଧିନାୟକ ବ୍ୟବସ୍ଥା ଚାହୁଁନଥିବାରୁ କୋହଲିଙ୍କୁ ହଟାଇ ରୋହିତଙ୍କୁ ଦିନିକିଆ ଅଧିନାୟକ ଭାବେ ନିଯୁକ୍ତ କରିଥିଲେ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରୁ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି । ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ମଧ୍ୟ ସମ୍ପୂର୍ଣ୍ଣ ଫିଟ୍ ହୋଇନଥିବାରୁ ଏହି ସିରିଜରୁ ବାଦ୍ ପଡ଼ିଛନ୍ତି । ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ଉଦୀୟମାନ ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି । ଋତୁରାଜ ଗାଏକ୍ୱାଡଙ୍କୁ ମଧ୍ୟ ସୁଯୋଗ ମିଳିଛି । ସେହିପରି ଭେଟେରାନ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ମଧ୍ୟ ଦଳକୁ ଫେରିଛନ୍ତି । ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଦୀର୍ଘ ଦିନର ବ୍ୟବଧାନ ପରେ ଦିନିକିଆ ଦଳରେ ସାମିଲ ହୋଇଛନ୍ତି ।
ଟେଷ୍ଟ ସିରିଜ୍ ପରେ ଭାରତ-ଦକ୍ଷିଣ ଆଫ୍ରିକା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜାନୁୟାରୀ ୧୯ରୁ ଆରମ୍ଭ ହେବ । ଟେଷ୍ଟ ସିରିଜରେ ଭାରତ ସମ୍ପ୍ରତି ୧-୦ରେ ଅଗ୍ରଣୀ ରହିଛି । ସିରିଜର ଦ୍ୱିତୀୟ ମ୍ୟାଚ୍ ଜାନୁୟାରୀ ୩ରୁ ଜୋହାନ୍ସବର୍ଗରେ ଖେଳାଯିବ ।
ଭାରତୀୟ ଦିନିକିଆ ଦଳ: କେଏଲ୍ ରାହୁଲ (ଅଧିନାୟକ), ଶିଖର ଧାୱନ, ଋତୁରାଜ ଗାଏକ୍ୱାଡ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ଭେଙ୍କଟେଶ ଆୟର, ରିଷଭ ପନ୍ତ, ଇଶାନ କିଶାନ, ୟୁଜବେନ୍ଦ୍ର ଚହଲ, ଆର.ଅଶ୍ୱିନ, ୱାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ଦୀପକ ଚହର, ପ୍ରସିଦ୍ଧ କ୍ରିଷ୍ଣା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ ।

Comments are closed.