ଶାହୀନଙ୍କୁ ସାମ୍ନା କରିବାକୁ ରୋହିତ କଲେ ଅତିରିକ୍ତ ଅଭ୍ୟାସ

ମେଲବୋର୍ଣ୍ଣ: ଭାରତ ଟି-୨୦ ବିଶ୍ୱକପରେ ରବିବାର ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଏହି ହାଇ ଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଦ୍ରୁତ ବୋଲର ଶାହୀନ୍ ଶାହ ଆଫ୍ରିଦିଙ୍କ ଗତି ଏବଂ ସୁଇଂକୁ ପ୍ରତିହତ କରିବା ପାଇଁ ନେଟ୍ସରେ ଝାଳ ବୁହାଇଛନ୍ତି । ଏଥିପାଇଁ ସେ ଅତିରିକ୍ତ ଅଭ୍ୟାସ କରିଛନ୍ତି ।

ଶାହିନଙ୍କ ବିପକ୍ଷରେ କୌଣସି ଭୁଲ ଏଡ଼ାଇବା ପାଇଁ ରୋହିତ ସବୁ ପ୍ରକାର ସଟ୍‌ ଅଭ୍ୟାସ କରିଥିଲେ |
ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ ଅନ୍ୟ ଷ୍ଟାଡିୟମଠାରୁ ଭିନ୍ନ କାରଣ ନେଟ୍ସର କେବଳ ‘ଟପ୍ ଆଙ୍ଗଲ୍’ ଦେଖାଯାଏ । ଯାହା ଦ୍ଵାରା ଖେଳାଳିମାନେ ଏକ ବଡ଼ କୂଅରେ ଅଭ୍ୟାସ କରୁଥିବା ପରି ମନେ ହୁଏ |

ଶୁକ୍ରବାର ଭାରତୀୟ ଦଳ ପାଇଁ ଇଚ୍ଛାଧୀନ ନେଟ ସେସନ୍ ହୋଇଥିଲା ଏବଂ ପ୍ରାୟ ୩୦ ଦର୍ଶକଙ୍କ ଉପସ୍ଥିତିରେ ଭାରତୀୟ ଅଧିନାୟକ ଅଭ୍ୟାସ ପାଇଁ ଓହ୍ଲାଇଥିଲେ। ସେ ପ୍ରାୟ ଦେଢ ଘଣ୍ଟା ଧରି ଦୀନେଶ କାର୍ତ୍ତିକଙ୍କ ସହ ବ୍ୟାଟିଂ ଅଭ୍ୟାସ କରିଥିଲେ।

ତାଙ୍କର ଅଭ୍ୟାସ ପରେ ରୋହିତ କାର୍ତ୍ତିକ ଏବଂ ଅକ୍ଷର ପଟେଲଙ୍କୁ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ସହ ଆଲୋଚନା କରିଥିଲେ ।

କିଛି ସମୟ ବିରତି ପରେ ରୋହିତ ନେଟ୍ସକୁ ଫେରି ଶ୍ରୀଲଙ୍କାର ବାମହାତୀ ଥ୍ରୋଡାଉନ୍ ବିଶେଷଜ୍ଞ ନୁୱାନ୍ ସେନେଭିରତ୍ନେଙ୍କ ସାମ୍ନା କରିଥିଲେ ।

Comments are closed.