ରସ୍ ଟେଲରଙ୍କ ଚାଞ୍ଚଲ୍ୟକର ଅଭିଯୋଗ, ଡକରେ ଆଉଟ୍ ହେବା ପରେ ଚାପୁଡ଼ା ମାରିଥିଲେ ଆଇପିଏଲ୍ ଟିମ୍ ମାଲିକ

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର ନିଜ ସଦ୍ୟ ପ୍ରକାଶିତ ଆତ୍ମଜୀବନୀ ‘ବ୍ଲାକ୍ ଆଣ୍ଡ ହ୍ୱାଇଟ୍‌’ରେ ଆଉ ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ଥରେ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଦଳର ଜଣେ ମାଲିକ ତାଙ୍କୁ ଚାପୁଡ଼ା ମାରିଥିଲେ ବୋଲି ଟେଲର ନିଜ ପୁସ୍ତକରେ ଦାବି କରିଛନ୍ତି । ପଞ୍ଜାବ କିଙ୍ଗ୍‌ସ ବିପକ୍ଷ ଏକ ମ୍ୟାଚରେ ସେ ଶୂନରେ ଆଉଟ୍ ହୋଇଯିବା ପରେ ରାଜସ୍ଥାନ ରୟାଲ୍ସର ମାଲିକ ତାଙ୍କୁ ୩-୪ ଥର ଚାପୁଡ଼ା ମାରିଥିଲେ । ତେବେ ଟେଲର କହିଛନ୍ତି ଯେ ଟିମ୍ ମାଲିକଙ୍କ ସେହି ଚାପୁଡ଼ା ସେଭଳି ଶକ୍ତ ନଥିଲା । କିନ୍ତୁ ତାଙ୍କୁ ସେ ଥଟ୍ଟାରେ ଏପରି ଚାପୁଡ଼ା ମାରିଥିଲେ ନା ନାହିଁ ସେ ଜାଣିପାରିନଥିଲେ ବୋଲି ନ୍ୟୁଜିଲାଣ୍ଡର ଏହି ପୂର୍ବତନ ବ୍ୟାଟ୍ସମ୍ୟାନ୍ କହିଛନ୍ତି ।

ନିଜ ଆତ୍ମଜୀବନୀର ଏକ ଅଧ୍ୟାୟରେ ଟେଲର ଲେଖିଛନ୍ତି, ‘ପଞ୍ଜାବ ବିପକ୍ଷ ଏକ ଆଇପିଏଲ୍ ମ୍ୟାଚରେ ରାଜସ୍ଥାନ ୧୯୫ ରନର ଟାର୍ଗେଟକୁ ପିଛା କରୁଥିଲା । ମୁଁ ସେହି ମ୍ୟାଚରେ ଶୂନରେ ଆଉଟ୍ ହୋଇଯାଇଥିଲି ଏବଂ ଆମେ ପରାସ୍ତ ହୋଇଥିଲୁ । ମ୍ୟାଚ୍ ପରେ ରାଜସ୍ଥାନ ରୟାଲ୍ସର ଷ୍ଟାଫ୍ ଓ ମ୍ୟାନେଜମେଣ୍ଟହୋଟେଲର ଉପର ମହଲାରେ ଏକାଠି ହୋଇଥିଲେ । ସେଠାରେ ରାଜସ୍ଥାନ ଦଳର ମେଣ୍ଟର ସେନ୍ ୱାର୍ଣ୍ଣ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଲିଜ୍ ହର୍ଲି ମଧ୍ୟ ଉପସ୍ଥିତ ଥିଲେ । ରାଜସ୍ଥାନ ଦଳର ଜଣେ ସହମାଲିକ ମୋ ପାଖକୁ ଆସି କହିଥିଲେ, ‘ରସ୍‌, ଡକରେ ଆଉଟ୍ ହେବା ପାଇଁ ତୁମକୁ ଆମେ ଏତେ ଲକ୍ଷ ଟଙ୍କା ଦେଇ କିଣି ନାହୁଁ ।’ ଏହାପରେ ସେ ମୋତେ ୩-୪ ଥର ଚାପୁଡ଼ା ମାରିଥିଲେ । ଚାପୁଡ଼ା ମାରିବା ବେଳେ ମାଲିକ ଜଣକ ହସୁଥିଲେ । ତାଙ୍କ ଚାପୁଡ଼ା ମଧ୍ୟ ସେତେ ଶକ୍ତ ନଥିଲା । କିନ୍ତୁ ମୋ ଏହାକୁ ଗମ୍ଭୀରତାର ସହ ନେଇନଥିଲି । ତେବେ ପେସାଦାର କ୍ରୀଡ଼ାରେ ଏପରି ହୁଏ ବୋଲି ମୁଁ ଭାବିନଥିଲି ବୋଲି ଟେଲର ତାଙ୍କ ପୁସ୍ତକରେ ଲେଖିଛନ୍ତି ।

ଟେଲର ଆଇପିଏଲରେ ୨୦୦୮ ରୁ ୨୦୧୦ ଯାଏଁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳିଥିଲେ । ଏହାପରେ ସେ ୨୦୧୧ରେ ରାଜସ୍ଥାନ ରୟାଲ୍ସ ତରଫରୁ ପ୍ରତିନିଧିତ୍ୱ କରିଥିଲେ । ପରେ ଟେଲର ଦିଲ୍ଲୀ କ୍ୟାପିଟାଲ୍ସ (ତତ୍କାଳୀନ ଦିଲ୍ଲୀ ଡେୟାରଡେଭିଲ୍ସ) ଏବଂ ପୁଣେ ୱାରିୟର୍ସ ପାଇଁ ଖେଳିଥିଲେ ।

କିଛି ଦିନ ତଳେ ସେ ତାଙ୍କ ଦଳ ନ୍ୟୁଜିଲାଣ୍ଡ ବିରୋଧରେ ବର୍ଣ୍ଣ ବୈଷମ୍ୟ ଅଭିଯୋଗ ଆଣି ଟେଲର ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ । ଡ୍ରେସିଂ ରୁମରେ ତାଙ୍କ ସାଥୀ ଖେଳାଳି ଓ କୋଚିଂ ଷ୍ଟାଫ୍ ତାଙ୍କୁ ବର୍ଣ୍ଣ ବୈଷମ୍ୟ ଆକ୍ଷେପ କରୁଥିଲେ ବୋଲି ଟେଲର ଅଭିଯୋଗ କରିଥିଲେ ।

Comments are closed.