ଗାର୍ଡ ଅଫ୍ ଅନର ବିନା ଅଗ୍ନିବୀରଙ୍କ ଅନ୍ତିମ ସଂସ୍କାର ନେଇ ବିବାଦ, ସେନା ଦେଲା ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଅକ୍ଟୋବର ୧୧ରେ ଜାମ୍ମୁ କାଶ୍ମୀରରେ ପ୍ରାଣ ହରାଇଥିବା ଅଗ୍ନିବୀର ଅମୃତପାଲ ସିଂଙ୍କ ଅନ୍ତିମ ସଂସ୍କାର ସମୟରେ ସେନା ତରଫରୁ ‘ଗାର୍ଡ ଅଫ୍ ଅନର’ ଦିଆନଯିବାରୁ ବିବାଦ ସୃଷ୍ଟି ହୋଇଛି । ପଞ୍ଜାବର ବିରୋଧୀ ଦଳ ଏନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ତେବେ ସେନା ଏକ ବିବୃତ୍ତିରେ କହିଛି ଯେ ତାଙ୍କ ବନ୍ଧୁକରୁ ନିଜକୁ ଗୁଳିକରି ଅମୃତପାଲ ସିଂ ଆତ୍ମହତ୍ୟା କରିଛନ୍ତି । ତେଣୁ ପ୍ରଚଳିତ ନୀତି ଅନୁଯାୟୀ ତାଙ୍କୁ କୌଣସି ‘ଗାର୍ଡ ଅଫ୍ ଅନର’ ଦିଆଯାଇନଥିଲା ।

ଅନ୍ୟପକ୍ଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍ ‌ଏହି ପ୍ରସଙ୍ଗରେ କେନ୍ଦ୍ର ନିକଟରେ ପ୍ରତିବାଦ କରାଯିବ ବୋଲିି କହିଛନ୍ତି ‌। ମାନ୍ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି, ଅମୃତପାଲ ସିଂହଙ୍କ ମୃତ୍ୟୁ ନେଇ ସେନାର ନୀତି ଯାହା ହେଉନା କାହିଁକି ସହିଦଙ୍କ ପାଇଁ ତାଙ୍କ ସରକାରଙ୍କ ନୀତି ସମାନ । ରାଜ୍ୟ ସରକାରଙ୍କ ନୀତି ଅନୁଯାୟୀ ଅମୃତପାଲ ସିଂଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ। ସେ କହିଛନ୍ତି ଅମୃତପାଲ ସିଂ ଦେଶର ସହିଦ୍।

ଅମୃତପାଲ ସିଂ ପୁଞ୍ଚ ସେକ୍ଟରରେ ଜାମ୍ମୁ କାଶ୍ମୀର ରାଇଫଲ୍ସର ଏକ ବାଟାଲିୟନରେ କାର୍ଯ୍ୟରତ ଥିଲେ । ତାଙ୍କ ଅନ୍ତିମ ସଂସ୍କାର ଶୁକ୍ରବାର ପଞ୍ଜାବର ମାନସା ଜିଲ୍ଲା ସ୍ଥିତ ତାଙ୍କ ପୈତୃକ ଗାଁରେ ହୋଇଥିଲା । ଶିରୋମଣି ଅକାଳୀ ଦଳ (ଏସ୍ଏଡି) ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ କହିଛନ୍ତି, ସେନାର ‘ଗାର୍ଡ ଅଫ୍ ଅନର’ ବିନା ସିଂଙ୍କ ଶବଦାହ କରାଯାଇଥିଲା। ସେ ଏହି ମାମଲାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ହସ୍ତକ୍ଷେପ ଲୋଡିବେ । ସମସ୍ତ ସହିଦ ସୈନିକଙ୍କୁ ସାମରିକ ସମ୍ମାନ ଦେବା ପାଇଁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବାକୁ ସେ ଦାବି କରିଛନ୍ତି।

ଅଗ୍ନିବୀର ଅମୃତଲାଲଙ୍କ ମୃତ୍ୟୁରେ ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଢ଼ା ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଅଗ୍ନିବୀର ଯୋଜନା ଆରମ୍ଭ ହୋଇଥିଲା ସେତେବେଳେ ହିଁ ଆମ୍ ଆଦମୀ ପାର୍ଟି ଏହା ଉପରେ ପ୍ରଶ୍ନ ଉଠାଇଥିଲା। ଯାହା ଆଶଙ୍କା କରାଯାଉଥିଲା ତାହା ଆଜି ଘଟିଛି | ତାଙ୍କ ମୃତଦେହ ଘରକୁ ଅଣାଯିବା ବେଳେ କୌଣସି ସାମରିକ ସମ୍ମାନ ଦିଆଯାଇନଥିଲା। ତାଙ୍କୁ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କୁ କୌଣସି ପେନସନ୍ ଦିଆଯିବ ନାହିଁ କିମ୍ବା ସେମାନଙ୍କୁ ସହିଦ୍ ମାନ୍ୟତା ଦିଆଯିବ ନାହିଁ। ଅମୃତପାଲ ସିଂଙ୍କ ମରଶରୀରକୁ ଏକ ଘରୋଇ ଆମ୍ବୁଲାନ୍ସରେ କାହିଁକି ପଠାଯାଇଥିଲା? ଏହା ଅଗ୍ନିବୀର ସ୍କିମର ପ୍ରକୃତ ସତ୍ୟ କି?

ଅମୃତପାଲ ସିଂଙ୍କ ଅନ୍ତିମ ସଂସ୍କାର ନେଇ ବିବାଦ ପରେ ସେନା ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି । ସିଂଙ୍କ ମୃତଦେହ ତାଙ୍କ ଗାଁକୁ ନିଆଯିବା ବେଳେ ଘରୋଇ ଆମ୍ବୁଲାନ୍ସରେ ଜୁନିଅର କମିଶନ ଅଧିକାରୀଙ୍କ ସହିତ ଅନ୍ୟ ଚାରିଜଣ ସେନା କର୍ମଚାରୀ ଥିଲେ । ସେମାନେ ଅମୃତପାଲ ସିଂଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ଯୋଗ ଦେଇଥିଲେ। ସେନା କହିଛି, ଅମୃତପାଲ ସିଂ ଆତ୍ମହତ୍ୟା କରିଥିଲେ । ତେଣୁ ପ୍ରଚଳିତ ନୀତି ଅନୁଯାୟୀ ତାଙ୍କୁ କୌଣସି ଗାର୍ଡ ଅଫ୍ ଅନର ଦିଆଯାଇନଥିଲା କିମ୍ବା ଅନ୍ୟ ସାମରିକ ଔପଚାରିକତା ପୂରଣ କରାଯାଇ ନଥିଲା ।

Comments are closed.