‘ସ୍ୱାଧୀନତାର ଅମୃତ ମହୋତ୍ସବ’ ପୋଷ୍ଟରରେ ନେହରୁଙ୍କ ଫଟୋ ନାହିଁ, କଂଗ୍ରେସର ଆପତ୍ତି

ନୂଆଦିଲ୍ଲୀ: ଭାରତୀୟ ଇତିହାସ ଗବେଷଣା ପରିଷଦ (ଆଇସିଏଚ୍‌ଆର୍‌) ଦ୍ୱାରା ଜାରି ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ପୋଷ୍ଟରକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହି ପୋଷ୍ଟରରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ଫଟୋ ନାହିଁ । ଏନେଇ କଂଗ୍ରେସ ବହୁ ନେତା ଆପତ୍ତି ଉଠାଇଛନ୍ତି ।

କଂଗ୍ରେସ ସାଂସଦ ଶଶି ଥରୁର ଆଇସିଏଚ୍‌ଆର୍ ପୋଷ୍ଟରର ଏକ ସ୍କ୍ରିନସଟ୍ ସେୟାର କରିଛନ୍ତି । ଏଥିରେ ମହାତ୍ମ ଗାନ୍ଧି, ସୁବାଷ ଚନ୍ଦ୍ର ବୋଷ, ଭଗତ ସିଂ, ବିଆର୍ ଆମ୍ବେଦକର, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ରାଜେନ୍ଦ୍ର ପ୍ରସାଦ, ମଦନ ମୋହନ ମାଲବୀୟ ଏବଂ ବୀର ସାବରକରଙ୍କ ଫଟୋ ରହିଛି । କିନ୍ତୁ ଏଥିରେ ନେହରୁଙ୍କ ଫଟୋ ନାହିଁ ।

‘ସ୍ୱାଧୀନତାର ଅମୃତ ମହୋତ୍ସବ’ ପୋଷ୍ଟରରେ ନେହରୁଙ୍କ ଫଟୋକୁ ସ୍ଥାନ ନ ଦେବା ନିଷ୍ପତ୍ତିକୁ ଥରୁର ସମାଲୋଚନା କରିଛନ୍ତି । ଥରୁର ଟ୍ୱିଟ୍ କରି କହିଛନ୍ତି, ସ୍ୱାଧୀନତା ସଂଗ୍ରାମର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱର ଜବାହାରଲାଲ ନେହରୁଙ୍କୁ ବାଦ୍ ଦେଇ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବା ଇତିହାସକୁ ଉପହାସ । ପୁଣିଥରେ ଆଇସିଏଚ୍‌ଆର ନିଜ ଛବି ଖରାପ କରିଛି । ଏହା ଏକ ଅଭ୍ୟାସରେ ପରିଣତ ହୋଇଗଲାଣି ।

କଂଗ୍ରେସର ଆଉ ଜଣେ ବରିଷ୍ଠ ନେତା ଜୟରାମ ରମେଶ ମଧ୍ୟ ଥରୁରଙ୍କ ଉକ୍ତ ଟ୍ୱିଟ୍‌କୁ ରି-ଟ୍ୱିଟ୍ କରି ନେହରୁଙ୍କ ଫଟୋ ହଟାଇବାକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ।

କଂଗ୍ରେସ ଦଳର ମୁଖପାତ୍ର ଶମା ମହମ୍ମଦ କହିଛନ୍ତି ଯେ, ସ୍ୱାଧୀନତାର ଅମୃତ ମହୋତ୍ସବ ପୋଷ୍ଟରରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ନାମ ନ ରହିଲେ ତାଙ୍କ ବ୍ୟକ୍ତିତ୍ୱ ଦୁର୍ବଳ ହୋଇଯିବନି । ଆଇସିଏଚ୍‌ଆର୍ ପୋଷ୍ଟରରୁ ପୁଣି ସ୍ପଷ୍ଟ ଯେ, ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ନେହରୁଙ୍କ ଅବଦାନ ପ୍ରତି କେତେ ଇର୍ଷାନ୍ୱିତ ଏବଂ ଭୟଭୀତ । ପ୍ରଧାନମନ୍ତ୍ରୀଙ୍କୁ ଏଭଳି ସୁରକ୍ଷିତ ମନୋଭାବ ଶୋଭା ଦେଉନି ।

ଆସିଏଚ୍‌ଆର ପୋଷ୍ଟରରୁ ନେହରୁଙ୍କ ଫଟୋ ହଟାଯିବାକୁ ନେଇ ଅନ୍ୟ ବିରୋଧୀ ଦଳ ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ଏଭଳି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ହୀନମନ୍ୟତାର ପରିଚୟ ଦେଉଛି ବୋଲି ସେମାନେ କହିଛନ୍ତି ।

Comments are closed.