ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀଙ୍କ ଘରୁ ୨୦ କୋଟି ନଗଦ ଜବତ

କୋଲକାତା: ପଶ୍ଚିମବଙ୍ଗ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଶୁକ୍ରବାର ଏହି ଚଢ଼ାଉ ବେଳେ ତାଙ୍କ ଘରୁ ୨୦ କୋଟି ଟଙ୍କା ନଗଦ ଜବତ ହୋଇଛି। ଶିକ୍ଷକ ନିଯୁକ୍ତି (ଏସଏସସି) ଦୁର୍ନୀତି ମାମଲାରେ ଏହି ଚଢ଼ାଉ ହୋଇଥିଲା ।

ଇଡି ଏକ ବିବୃତ୍ତିରେ କହିଛି ଯେ ଜବତ ହୋଇଥିବା ଏହି ଟଙ୍କା ଏସଏସସି ସ୍କାମ୍ ସହ ଜଡିତ ହୋଇପାରେ।

ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୦ରୁ ଅଧିକ ମୋବାଇଲ୍ ଫୋନ୍ ମଧ୍ୟ ମିଳିଛି। କେଉଁ ଉଦ୍ଦେଶ୍ୟରେ ଏହି ଫୋନ୍ ବ୍ୟବହାର କରାଯାଉଥିଲା ତାହା ଇଡି ଅନୁସନ୍ଧାନ କରୁଛି।

ଏହାଛଡ଼ା ଇଡି ରାଜ୍ୟ ଶିକ୍ଷା ମନ୍ତ୍ରୀ ପରେଶ ସି ଅଧିକାରୀ ଏବଂ ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଏବଂ ଅନ୍ୟ ଅଭିଯୁକ୍ତଙ୍କ ସ୍ଥାନରେ ବି ଚଢାଉ କରିଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସିବିଆଇ ଗ୍ରୁପ୍-ସି ଏବଂ ଡି କର୍ମଚାରୀ ତଥା ପଶ୍ଚିମବଙ୍ଗର ସରକାରୀ ତଥା ସହାୟକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତିର ଯାଞ୍ଚ କରୁଛି। ଇଡି ଏହି ମାମଲାରେ ଟଙ୍କା କାରବାର ଦିଗର ତଦନ୍ତ କରୁଛି।

ପାର୍ଥ ଚାଟାର୍ଜୀ ବର୍ତ୍ତମାନ ପଶ୍ଚିମବଙ୍ଗ ସରକାରରେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଅଛନ୍ତି। ଶିକ୍ଷକ ନିଯୁକ୍ତି ଦୁର୍ନୀତି ଯେବେ ସାମ୍ନାକୁ ଆସିଲା, ସେତେବେଳେ ଚାଟାର୍ଜୀ ରାଜ୍ୟର ଶିକ୍ଷା ମନ୍ତ୍ରୀ ଥିଲେ। ସିବିଆଇ ତାଙ୍କୁ ଦୁଇଥର ଜେରା କରିସାରିଛି।

Comments are closed.