ଆଜିଠାରୁ ଲାଗୁ ହେବ ଏହି ସବୁ ପରିବର୍ତ୍ତନ, ସୁନା, ଔଷଧ ହେବ ମହଙ୍ଗା; ଆଉ କ’ଣ ବଦଳିବ ଜାଣନ୍ତୁ

ନୂଆଦିଲ୍ଲୀ: ଆଜିଠାରୁ (ଏପ୍ରିଲ୍ ୧) ନୂଆ ଆର୍ଥିକ ବର୍ଷ ୨୦୨୩-୨୪ ଆରମ୍ଭ ହୋଇଛି । ଏହା ସହିତ ଅନେକ ନୂଆ ନିୟମ ଲାଗୁ ହେବା ସହ କିଛି ନୂଆ ଯୋଜନା ମଧ୍ୟ ଆରମ୍ଭ ହେବ | ପେଟ୍ରୋଲିୟମ କମ୍ପାନୀଗୁଡିକ ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନରେ କମର୍ସିଆଲ ବା ବ୍ୟାବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି।

ଏହାଛଡ଼ା ସୁନା ଓ ଅଳଙ୍କାର ଉପରେ ସୀମା ଶୁଳ୍କ ଆଜି ଠାରୁ ୨୦% ରୁ ୨୫% କୁ ବୃଦ୍ଧି ପାଇଛି, ଯେଉଁ କାରଣରୁ ଏହାର ଦର ବଢ଼ିବା ସମ୍ଭାବନା ରହିଛି । ପେନ୍ କିଲର୍, ଆଣ୍ଟିବାୟୋଟିକ୍ ଏବଂ ହୃଦ୍ ରୋଗ ପାଇଁ ଔଷଧ ମଧ୍ୟ ମହଙ୍ଗା ହୋଇଛି | ନିମ୍ନରେ ବିସ୍ତୃତ ଭାବେ ପ୍ରଦତ୍ତ କରାଗଲା ଆଜିଠୁ ଲାଗୁ ହୋଇଥିବା ଏପରି କିଛି ପରିବର୍ତ୍ତନ ସମ୍ପର୍କରେ..

କମର୍ସିଆଲ ଗ୍ୟାସ ସିଲିଣ୍ଡର:

ଆଜିଠାରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୯୨ ଟଙ୍କା ଶସ୍ତା ହୋଇଛି। ତେବେ ୧୪.୨ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

ସ୍ବଳ୍ପ ସଞ୍ଚୟ ଯୋଜନାର ନୂଆ ସୁଧ ହାର:

ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ଏବଂ ଫିକ୍ସଡ ଡିପୋଜିଟ୍ ସମେତ ସ୍ବଳ୍ପ ସଞ୍ଚୟ ଯୋଜନା ଉପରେ ବର୍ଦ୍ଧିତ ସୁଧ ହାର ଆଜିଠାରୁ ଲାଗୁ ହେବ। ଜାତୀୟ ସଞ୍ଚୟ ପ୍ରମାଣପତ୍ର, ମାସିକ ଆୟ ଯୋଜନା ଏବଂ କିସାନ ବିକାଶ ପତ୍ର ଉପରେ ମଧ୍ୟ ସୁଧ ହାର ବୃଦ୍ଧି ପାଇଛି। ତେବେ ପିପିଏଫ୍ ଏବଂ ସେଭିଂ ଆକାଉଣ୍ଟ୍ ସ୍କିମର ସୁଧ ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ | ବର୍ତ୍ତମାନ ସ୍ବଳ୍ପ ସଞ୍ଚୟ ଯୋଜନାରେ ୪% ରୁ ୮.୨% ପର୍ଯ୍ୟନ୍ତ ସୁଧ ଦିଆଯିବ |

ସୁନା ପାଇଁ ନୂଆ ହଲମାର୍କିଂ ବାଧ୍ୟତାମୂଳକ :

ନୂଆ ନିୟମ ଅନୁଯାୟୀ ଏପ୍ରିଲ୍ ୧ରୁ ଛଅ ଅଙ୍କ ବିଶିଷ୍ଟ ଆଲଫା ନ୍ୟୁମେରିକ୍ ହଲମାର୍କିଂ ବିନା ସୁନା ବିକ୍ରି ହେଇପାରିବ ନାହିଁ | ଆଧାର କାର୍ଡରେ ୧୨ ଅଙ୍କ ବିଶିଷ୍ଟ କୋଡ୍ ଭଳି ସୁନାରେ ୬ ଅଙ୍କ ବିଶିଷ୍ଟ ହଲମାର୍କ କୋଡ୍ ରହିବ । ଏହାକୁ ହଲମାର୍କ ୟୁନିକ୍ ଆଇଡେଣ୍ଟିଫିକେସନ୍ ନମ୍ବର ଅର୍ଥାତ୍ HUID କୁହାଯାଏ |

ଆଜିଠାରୁ ସୁନା କିଣିବା ମହଙ୍ଗା:

ବଜେଟରେ ସୁନା ଏବଂ ଇମିଟେସନ ଜୁଏଲରି ଉପରେ ସୀମା ଶୁଳ୍କ ୨୦% ରୁ ୨୫% ଏବଂ ରୁପା ଉପରେ ୭.୫% ରୁ ୧୫%କୁ ବୃଦ୍ଧି କରିବାକୁ ଘୋଷଣା କରାଯାଇଥିଲା। ଏହି ନୂଆ ଟିକସ ବ୍ୟବସ୍ଥା ଆଜିଠାରୁ ଲାଗୁ ହୋଇଛି | ଏହା ଦ୍ବାରା ସୁନା ଓ ରୂପା ମୂଲ୍ୟ ବଢ଼ିପାରେ ।

ଜରୁରୀ ଔଷଧ ଦାମ୍ ବଢ଼ିବ:

ଆଜିଠୁ ଅନେକ ଜରୁରୀ ଔଷଧ ପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ିବ | ଆଣ୍ଟିବାୟୋଟିକ୍ ଠାରୁ ଆରମ୍ଭ କରି ପେନ୍ କିଲର୍ ପର୍ଯ୍ୟନ୍ତ ପ୍ରାୟ ୯୦୦ ଜରୁରୀ ଔଷଧର ମୂଲ୍ୟ ପ୍ରାୟ ୧୨ ପ୍ରତିଶତ ଯାଏଁ ବଢିଯିବ।

ପେନ୍ କିଲର୍, ଆଣ୍ଟି-ଇନଫେକ୍ସନ୍ ଏବଂ ହୃଦ୍ ରୋଗ ପାଇଁ ଔଷଧ ଠାରୁ ଆଣ୍ଟିବାୟୋଟିକ୍ ଭଳି ଅତ୍ୟାବଶ୍ୟକ ମେଡିସିନ ଏବେ ମହଙ୍ଗା ହେବ । ବାର୍ଷିକ ପାଇକାରୀ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଇ)ରେ ପରିବର୍ତ୍ତନ ଅନୁଯାୟୀ ଫାର୍ମା କମ୍ପାନୀଗୁଡ଼ିକୁ ଏହି ସବୁ ଔଷଧ ଗୁଡ଼ିକର ମୂଲ୍ୟ ବୃଦ୍ଧି କରିବାକୁ ସରକାର ଅନୁମତି ଦେଇଛନ୍ତି।

ନୂତନ ଟିକସ ବ୍ୟବସ୍ଥା:

ଆଜିଠାରୁ ଦେଶରେ ନୂଆ କର ବ୍ୟବସ୍ଥା ଲାଗୁ ହେବ | ଯେଉଁମାନେ ନୂଆ ଟିକସ ବ୍ୟବସ୍ଥା ଚୟନ କରୁଛନ୍ତି ସେମାନଙ୍କ ପାଇଁ ରିହାତି ସୀମା ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାପୂର୍ବରୁ ଏହା ୫ ଲକ୍ଷ ଟଙ୍କା ଥିଲା। ବଜେଟରେ ବେତନ ପ୍ରାପ୍ତ ଶ୍ରେଣୀକୁ ଆଉ ଏକ ରିଲିଫ୍ ଦିଆଯାଇଛି। ୫୦,୦୦୦ ଟଙ୍କା ମୂଲ୍ୟର ଷ୍ଟାଣ୍ଡାର୍ଡ ରିହାତି ମଧ୍ୟ ନୂତନ ଟିକସ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯାଇଛି | ଅର୍ଥାତ୍ ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ଉପରେ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ। ପୁରୁଣା ଟିକସ ବ୍ୟବସ୍ଥାରେ ଟିକସ ହାର ପୂର୍ବ ପରି ରହିବ ।

ପାନ୍ ବିନା ପିଏଫ୍ ଉଠାଣ ଉପରେ କମ୍ ଟ୍ୟାକ୍ସ:

ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ୍) ଉଠାଣ ସମ୍ବନ୍ଧରେ ଟିକସ ନିୟମରେ ପରିବର୍ତ୍ତନ ହୋଇଛି। ପାନ୍ ପିଏଫ୍ ଆକାଉଣ୍ଟ୍ ଲିଙ୍କ୍ ନହେଲେ ମଧ୍ୟ ଏବେ ଟଙ୍କା ଉଠାଣ ଉପରେ ୩୦% ପରିବର୍ତ୍ତେ ୨୦% ଟିଡିଏସ୍ ଲାଗିବ | ପରିବର୍ତ୍ତିତ ନିୟମ ଦ୍ବାରା ପିଏଫ୍ ଧାରକ ଉପକୃତ ହେବେ, ଯାହାଙ୍କ ପାନ୍ ଏପର୍ଯ୍ୟନ୍ତ ଅପଡେଟ୍ ହୋଇନାହିଁ |

ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା:

ଆଜିଠାରୁ ସିନିୟର ସିଟିଜେନ୍ସ ସ୍କିମ୍ ବା ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାରେ ନିବେଶ ସୀମା ବୃଦ୍ଧି କରାଯାଇଛି । ଏଥିର ଏବେ ସର୍ବାଧିକ ୩୦ ଲକ୍ଷ ଟଙ୍କା ନିବେଶ କରିପାରିବେ। ପୂର୍ବରୁ ଏହି ଯୋଜନାରେ ନିବେଶ ସୀମା ସର୍ବାଧିକ ୧୫ ଲକ୍ଷ ଟଙ୍କା ଥିଲା | ଏହି ଯୋଜନାରେ ବାର୍ଷିକ ୮% ସୁଧ ଦିଆଯାଉଛି |

ମହିଳ ସମ୍ମାନ ଯୋଜନା ଆରମ୍ଭ:

ବଜେଟରେ ଘୋଷଣା ମୁତାବକ ଆଜିଠାରୁ ୭.୫% ସୁଧ ହାରରେ ‘ମହିଳା ସମ୍ମାନ ସଞ୍ଚୟ ଯୋଜନା’ ଆରମ୍ଭ କରାଯାଇଛି। ଏହି ଯୋଜନାରେ ମହିଳାମାନେ ୨ ବର୍ଷ ପାଇଁ ସର୍ବାଧିକ ୨ ଲକ୍ଷ ଟଙ୍କା ଜମା କରିପାରିବେ। ଏକ‌ ସର୍ଭେ ଅନୁଯାୟୀ ଦେଶର ୭୮% କାର୍ଯ୍ୟରତ ମହିଳା ୨୦% ସଞ୍ଚୟ ବି‌ କରିପାରନ୍ତି ନାହିଁ। ଏହି ଯୋଜନା ଦ୍ବାରା ସେମାନେ ଉପକୃତ ହୋଇପାରିବେ ।

Comments are closed.