ଯୁଦ୍ଧର ୨୭ ଦିନ ପରେ ବି କିଭ୍ ଠାରୁ ବହୁ ଦୂରରେ ରୁଷ ସେନା, ଆକ୍ରମଣକୁ କଲା ଜୋରଦାର୍

କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଜି ୨୭ତମ ଦିନରେ ପ୍ରବେଶ କରିଛି | ତଥାପି ରୁଷ ସେନା ୟୁକ୍ରେନର ରାଜଧାନୀ କିଭ୍ ସମେତ ଅନ୍ୟାନ୍ୟ ସହରକୁ କବଜା କରିବାକୁ ନାକେଦମ୍ ହେବାକୁ ପଡ଼ିଛି । ୟୁକ୍ରେନ ସେନା ରୁଷୀ ଆକ୍ରମଣର କଡ଼ ଜବାବ୍ ଦେଉଛି । କିଭ୍ ସହ ଅନ୍ୟାନ୍ୟ ପ୍ରମୁଖ ସହର ଗୁଡ଼ିକୁ କବଜା କରିବା ପାଇଁ ରୁଷର ସୈନ୍ୟ ବାହିନୀ ଆକ୍ରମଣକୁ ଜୋରଦାର କରିଛନ୍ତି। ରୁଷ ସେନା ଏୟାର ଷ୍ଟ୍ରାଇକ୍ ଏବଂ ମିସାଇଲ୍ ଆକ୍ରମଣ ଜାରି ରଖିଛି। କିନ୍ତୁ ଏସବୁ ପରେ ମଧ୍ୟ ରୁଷ ସେନା କିଭରେ ପ୍ରବେଶ କରିବାର କୌଣସି ସହଜ ଉପାୟ ପାଉନାହିଁ।

ଯୁଦ୍ଧକୁ ପ୍ରାୟ ମାସେ ପୂରିବାକୁ ଯାଉଛି, କିନ୍ତୁ ରୁଷ ଏପର୍ଯ୍ୟନ୍ତ ଯେମିତି ଆଶା କରିଥିଲା ସେହିଭଳି ସଫଳତା ପାଇ ନାହିଁ।
। କିଭ୍ ଏପର୍ଯ୍ୟନ୍ତ ଦଖଲକୁ ନେଇ ପାରିନାହିଁ। ଏଭଳି ପରିସ୍ଥିତିରେ ରୁଷର ସୈନିକମାନେ ଆକ୍ରମଣାତ୍ମକ ହୋଇ କିଭ୍ ଉପରେ ନିରନ୍ତର କ୍ଷେପଣାସ୍ତ୍ର ମାଡ଼ କରୁଛନ୍ତି। ଏହା ଦ୍ବାରା ସହରର ବହୁତ ବଡ଼ ବଡ଼ କୋଠା ଧ୍ୱଂସ ହୋଇଛି | ରୁଷ ଲଗାତାର କ୍ଷେପଣାସ୍ତ୍ର ଓ‌ ବୋମା ବର୍ଷା କରୁଛି। ଏହି କାରଣରୁ ସାଧାରଣ ନାଗରିକଙ୍କ ଜୀବନ ଯାଉଛି । ସେଣ୍ଟ୍ରାଲ କିଭରେ ରୁଷର ଏକ କ୍ଷେପଣାସ୍ତ୍ର ଏକ ସପିଂ ସେଣ୍ଟରକୁ ଧ୍ବସ୍ତ କରିଦେଇଛି।

ରୁଷର ଅବିରତ ବୋମାମାଡ ଯୋଗୁଁ ଲୋକମାନେ ସହର ଛାଡି ପଳାୟନ କରୁଛନ୍ତି | ସହରର ଅଧିକାଂଶ ଘର ଖାଲି ହୋଇଯାଇଛି | ଏସବୁ ମଧ୍ୟରେ ରୁଷର ବୋମାମାଡ଼ରେ ପ୍ରମୁଖ ଅଟ୍ଟାଳିକା, ସ୍କୁଲ୍, କଲେଜ, ଡାକ୍ତରଖାନା ଏବଂ ସାଧାରଣ ଲୋକଙ୍କ ଘର ଧ୍ବଂସ ସ୍ତୁପ ରେ ପରିଣତ ହୋଇଛି। ସହରର ସବୁଆଡେ ଧ୍ବଂସର ଭୟାନକ ଦୃଶ୍ୟ ଦେଖିବାକୁ ମିଳୁଛି |

ଅନ୍ୟପକ୍ଷରେ ବ୍ରିଟିଶ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୟୁକ୍ରେନ ସୈନ୍ୟବାହିନୀର ଦୃଢ ମୁକାବିଲାର ସମ୍ମୁଖୀନ ହୋଇ ଉତ୍ତର-ପଶ୍ଚିମ ଦିଗରୁ କିଭ୍ ଅଭିମୁଖେ ବଢୁଥିବା ରୁଷ ସେନାର ଗତି ଧିମା ପଡ଼ିଯାଇଛି । ହୋଷ୍ଟୋମୋଲ ଦିଗରୁ ଉତ୍ତର-ପଶ୍ଚିମ ଦିଗକୁ ଯାଉଥିବା ରୁଷ ସେନାକୁ ପଛକୁ ଠେଲିଦେଇଛି ୟୁକ୍ରେନ ସେନା ବାହିନୀ | କେବଳ ଏତିକି ନୁହେଁ, ୟୁକ୍ରେନ ସୈନିକମାନେ ଅନ୍ୟ ସହରରେ ମଧ୍ୟ ରୁଷୀୟ ସୈନିକମାନଙ୍କୁ କଡ଼ା ଜବାବ ଦେଉଛନ୍ତି। ତେବେ ବ୍ରିଟିଶ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ରୁଷର ସୈନ୍ୟବାହିନୀ ପାଇଁ କିଭକୁ କବଜା କରିବା ପ୍ରାଥମିକତା ରହିଛି। ସେମାନେ ଆଗାମୀ ଦିନରେ କିଭକୁ ଘେରିବା ପାଇଁ ଉଦ୍ୟମକୁ ଆହୁରି ଜୋରଦାର କରିବେ।

Comments are closed.