ରେକର୍ଡ ୫୦ତମ ଶତକ ପାଇଁ କୋହଲିଙ୍କୁ ଏଭଳି ଅଭିନନ୍ଦନ ଜଣାଇଲେ ସଚିନ

ମୁମ୍ବାଇ: ଅନ୍ତର୍ଜାତୀୟ ଦିନିକିଆରେ ୫୦ ତମ ଶତକ ସହ ତାଙ୍କ ରେକର୍ଡ ଭାଙ୍ଗିବା ପରେ ବିରାଟ କୋହଲିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି କିମ୍ବଦନ୍ତୀ ବ୍ୟାଟର ସଚିନ ତେନ୍ଦୁଲକର। ଏହି ରେକର୍ଡ ଶତକ ପାଇଁ ସେ କୋହଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ବକପ୍ ସେମିଫାଇନାଲରେ କୋହଲି ଶତକର ଅର୍ଦ୍ଧଶତକ ପୂରଣ କରିଛନ୍ତି । ସଚିନଙ୍କ ରେକର୍ଡ ତାଙ୍କ ହୋମ୍ ଗ୍ରାଉଣ୍ଡରେ ଓ ତାଙ୍କ ଉପସ୍ଥିତିରେ ଭାଙ୍ଗିଛନ୍ତି କୋହଲି। ନିଜ କ୍ୟାରିୟରର ୨୭୯ତମ ଇନିଂସରେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି ବିରାଟ।

ସଚିନ ତେନ୍ଦୁଲକର ବିରାଟ କୋହଲିଙ୍କ ୫୦ତମ ଦିନିକିଆ ଶତକ ରେକର୍ଡକୁ ‘ଅବିଶ୍ୱସନୀୟ’ ବୋଲି କହିଛନ୍ତି ।
ଭାରତୀୟ ଇନିଂସ ପରେ ସଚିନ ତେନ୍ଦୁଲକର କହିଛନ୍ତି, “ଆମେ ସମସ୍ତେ ତାଙ୍କ ପାଇଁ ଗର୍ବିତ। ତାଙ୍କ କ୍ୟାରିୟର ଅବିଶ୍ୱସନୀୟ ରହିଆସିଛି। ”

ସଚିନ ମଧ୍ୟ ସେହି ସମୟକୁ ମନେ ପକାଇଛନ୍ତି ଯେତେବେଳେ କୋହଲି ପ୍ରଥମ ଥର ପାଇଁ ଭାରତୀୟ ଡ୍ରେସିଂ ରୁମର ଅଂଶବିଶେଷ ହୋଇଥିଲେ।

ସଚିନ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି, “ଅନ୍ୟ ଖେଳାଳିମାନେ ତୁମ (କୋହଲି) ସହ ପ୍ରାଙ୍କ୍ (ଥଟ୍ଟା) କରି ତୁମକୁ ମୋ ପାଦ ଛୁଇଁବାକୁ କହୁଥିଲେ । ଏଥିରେ ମୁଁ ହସୁଥିଲି। କିନ୍ତୁ ଅତି ଶୀଘ୍ର ତୁମ ଜୋସ୍ ଓ ଦକ୍ଷତା ମୋ ହୃଦୟକୁ ଛୁଇଁଥିଲା । ସେହି ଯୁବକ ଆଜି ଏକ ‘ବିରାଟ’ ଖେଳାଳିରେ ପରିଣତ ହୋଇଥିବାରୁ ମୁଁ ବହୁତ ଖୁସି ।

ସଚିନ କହିଛନ୍ତି, ” ଜଣେ ଭାରତୀୟ ମୋ ରେକର୍ଡ ଭାଙ୍ଗିଥିବାରୁ ମୁଁ ଅତ୍ୟନ୍ତ ଖୁସି । ତାହା ପୁଣି ବିଶ୍ବକପ୍ ସେମିଫାଇନାଲ ଭଳି ଏକ ବଡ଼ ମଞ୍ଚରେ। ଏବଂ ମୋ’ର ହୋମ୍ ଗ୍ରାଉଣ୍ଡରେ ଏହି ରେକର୍ଡ ଭାଙ୍ଗିବା ଆହୁରି ସ୍ବତନ୍ତ୍ର।”

ରେକର୍ଡ ୫୦ତମ ଶତକ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କୋହଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ କହିଛନ୍ତି, ବିରାଟ କୋହଲି କେବଳ ତାଙ୍କର ୫୦ ତମ ଦିନିକିଆ ଶତକ ହାସଲ କରିନାହାଁନ୍ତି ବରଂ ଉତ୍କର୍ଷତା ଏବଂ ଅଧ୍ୟବସାୟର ଉଦାହରଣ ସୃଷ୍ଟି କରିିଛନ୍ତି ଯାହା କ୍ରୀଡ଼ାରେ ଶ୍ରେଷ୍ଠତାର ନୂଆ ସଂଜ୍ଞା ନିରୂପିତ କରିଛି ।

ଏହି ଉଲ୍ଲେଖନୀୟ ମାଇଲଖୁଣ୍ଟ ହେଉଛି ତାଙ୍କର ଉତ୍ସର୍ଗୀକୃତ ମନୋଭାବ ଏବଂ ଅତୁଳନୀୟ ପ୍ରତିଭାର ପ୍ରମାଣ | ମୁଁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି..।”

ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ବିରାଟ କୋହଲିଙ୍କ ଏହି ମାଇଲଖୁଣ୍ଟ ଶତକ ବେଳେ ଉପସ୍ଥିତ ଥିବା ଇଂଲଣ୍ଡର ପୂର୍ବତନ ଫୁଟବଲର୍ ଡେଭିଡ ବେକହମ ଏହି ଭାରତୀୟ ଷ୍ଟାରଙ୍କୁ ପ୍ରଶଂସା କରିଛନ୍ତି ।

ବେକହମ୍ କହିଛନ୍ତି ଯେ ସେ ପ୍ରଥମ ଥର ପାଇଁ ଭାରତ ଆସିଛନ୍ତି ଏବଂ ଏହାଠାରୁ ତାଙ୍କ ପାଇଁ ଆଉ କୌଣସି ଭଲ ସୁଯୋଗ ହୋଇ ନ ପାରେ।

ସେ କହିଛନ୍ତି, “ଏହା ଦୀପାବଳିର ସମୟ ଓ ବିରାଟ କୋହଲି ଯେଉଁଭଳି ଭାବରେ ଖେଳିଲେ ତାହା ଅବିଶ୍ୱସନୀୟ ଥିଲା।”

ସଚିନ ତେନ୍ଦୁଲକରଙ୍କ ସହ ବସିଥିବା ମ୍ୟାଚକୁ ବେକହମ ଦେଖୁଥିଲେ। ଉଭୟେ ୟୁନିସେଫର ବ୍ରାଣ୍ଡ ଆମ୍ବାସାଡର ଅଟନ୍ତି |

Comments are closed.