ମହାରାଷ୍ଟ୍ର: ପିଲାଚୋର ସନ୍ଦେହରେ ସାଧୁଙ୍କୁ ମାଡ଼

ମୁମ୍ବାଇ: ମହାରାଷ୍ଟ୍ରର ସାଙ୍ଗଲିରେ ପିଲା ଚୋର ସନ୍ଦେହରେ ଉତ୍ତର ପ୍ରଦେଶର ୪ ସାଧୁଙ୍କୁ ଆକ୍ରମଣ କରାଯାଇଛି। ଭାଇରାଲ ହୋଇଥିବା ଏହି ଘଟଣାର ଭିଡିଓରେ ଲୋକମାନେ ସାଧୁଙ୍କୁ ପିଟୁଥିବାର ଦେଖିବାକୁ ମିଳୁଛି।

ଏହି ଘଟଣା ସମ୍ପର୍କରେ ସାଙ୍ଗଲି ଏସପି ଦୀକ୍ଷିତ ଗେଦମ କହିଛନ୍ତି ଯେ ଆମେ ଏ ସମ୍ପର୍କରେ କୌଣସି ଅଭିଯୋଗ କିମ୍ବା ଆନୁଷ୍ଠାନିକ ରିପୋର୍ଟ ପାଇ ନାହୁଁ । କିନ୍ତୁ ଆମେ ଭାଇରାଲ ଭିଡିଓର ଯାଞ୍ଚ କରୁଛୁ।

ସାଧୁମାନେ ଦର୍ଶନ ପାଇଁ ପନ୍ଧରପୁର ଯାଉଥିଲେ ଏବଂ ସାଙ୍ଗଲି ଛାଡିବା ସମୟରେ ଏହି ଘଟଣା ଘଟିଥିଲା। ଲୋକମାନେ ତାଙ୍କୁ ପିଲାଚୋର ଭାବି ମାଡ଼ ମାରିଥିଲେ ।

ମହାରାଷ୍ଟ୍ରର ବରିଷ୍ଠ ନେତା ତଥା ବିଧାୟକ ରାମ କଦମ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି, “ସାଧୁମାନଙ୍କ ସହ ଏହି ପ୍ରକାର ଅସଦାଚରଣକୁ ଆମେ ବରଦାସ୍ତ କରିବୁ ନାହିଁ। ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ। ପାଲଘର ସାଧୁଙ୍କ ହତ୍ୟା ମାମଲାରେ ସେତେବେଳର ସରକାର ଦୋଷୀଙ୍କୁ ଛାଡ଼ିଦେଇ ଅନ୍ୟାୟ କରିଥିଲେ । କିନ୍ତୁ ମହାରାଷ୍ଟ୍ରର ବର୍ତ୍ତମାନର ସରକାର ତାହା କରିବ ନାହିଁ। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ”

୨୦୨୦ରେ ମଧ୍ୟ ମହାରାଷ୍ଟ୍ରରେ ସାଧୁଙ୍କ ଉପରେ ଆକ୍ରମଣର ଏକ ମାମଲା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା।

ଏପ୍ରିଲ ୧୬, ୨୦୨୦ରେ ପାଲଘରର ଗଡଚିଞ୍ଚଲେ ଗ୍ରାମରେ ଗୁଜରାଟର ସୁରଟରୁ ଆସିଥିବା ତିନିଜଣଙ୍କୁ ରାସ୍ତାରେ କିଛି ଲୋକ ଅଟକାଇ ସେମାନଙ୍କୁ କାର ଭିତରୁ ଟାଣି ଆଣି ପିଟିପିଟି ହତ୍ୟା କରିଥିଲେ। ଲୋକେ ସେମାନଙ୍କୁ ଚୋର ବୋଲି ସନ୍ଦେହ କରିଥିଲେ। ଏହି ମାମଲାରେ ପୋଲିସ ୯ ନାବାଳକଙ୍କ ସହ ୧୧୦ ଜଣଙ୍କୁ ଗିରଫ କରିଥିଲା ।

Comments are closed.