ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ପାଇବେ ଏତିକି ଦରମା ଓ ଏହି ସବୁ ସୁବିଧା

ନୂଆଦିଲ୍ଲୀ: ଭାରତରେ ରାଷ୍ଟ୍ରପତି ହେଉଛନ୍ତି ସର୍ବୋଚ୍ଚ ଶାସକ ଏବଂ ଦେଶର ପ୍ରଥମ ନାଗରିକ। ରାଷ୍ଟ୍ରପତି ତିନି ସୈନ୍ୟ ବାହିନୀର ସର୍ବୋଚ୍ଚ କମାଣ୍ଡର । ତାଙ୍କ ଅନୁମୋଦନ ବିନା କୌଣସି ଆଇନ ପାରିତ ହୋଇପାରିବ ନାହିଁ। ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ହୋଇଛନ୍ତି । ପ୍ରଥମ ଆଦିବାସୀ ମହିଳା ଭାବେ ଏହି ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିଥିବା ଦ୍ରୌପଦୀ ରାଷ୍ଟ୍ରପତି ଭାବେ ଏହି ସବୁ ସୁବିଧାସୁଯୋଗ ପାଇବେ ।

* ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ପ୍ରେସିଡେଣ୍ଟ ଇଷ୍ଟେଟ୍ ସ୍ଥିତ ରାଷ୍ଟ୍ରପତି ଭବନରେ ରହିବେ । ବିଶ୍ଵର ଯେକୌଣସି ରାଷ୍ଟ୍ରମୁଖ୍ୟଙ୍କ ବାସଭବନ ମଧ୍ୟରେ ଏହା ହେଉଛି ସର୍ବବୃହତ ସରକାରୀ ଆବାସ । ରାଷ୍ଟ୍ରପତି ଭବନର ମୁଖ୍ୟ କୋଠାରେ ୩୪୦ଟି କକ୍ଷ ରହିଛି। ସେଥିରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ବାସଭବନ, ଅଭ୍ୟର୍ଥନା କକ୍ଷ, ଅତିଥି କକ୍ଷ, କାର୍ଯ୍ୟାଳୟ ଆଦି ରହିଛି। ପ୍ରେସିଡେନସିଆଲ ଇଷ୍ଟେଟ୍ ୧୩୦ ହେକ୍ଟର ବା ୩୨୦ ଏକରରେ ନିର୍ମିତ। ଏଥିରେ ରାଷ୍ଟ୍ରପତିଙ୍କ ବଗିଚା, ବିଶାଳ ଖୋଲା ସ୍ଥାନ, ଅଙ୍ଗରକ୍ଷୀ ଏବଂ କର୍ମଚାରୀମାନଙ୍କ ବାସସ୍ଥାନ, ଘୋଡ଼ାଶାଳ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ଆଦି ରହିଛି। ସାର୍ ଏଡଓ୍ବିନ ଲୁଟିଏନ୍ସ ଏବଂ ହରବର୍ଟ ବେକରଙ୍କ ଭଳି ଖ୍ୟାତିସଂପନ୍ନ ସ୍ଥପତିଙ୍କ ଦ୍ବାରା ଏହାର ନିର୍ମାଣ ହୋଇଥିଲା।

* ଭାରତର ରାଷ୍ଟ୍ରପତି ମାସକୁ ପ୍ରାୟ ୫ ଲକ୍ଷ ଟଙ୍କା ବେତନ ପାଇଥାନ୍ତି ଓ ଏହା ମଧ୍ୟ ସମ୍ପୂର୍ଣ୍ଣ ଟ୍ୟାକ୍ସ ଫ୍ରି ହୋଇଥାଏ । ପ୍ରେସିଡେଣ୍ଟସ ଆଚିଭମେଣ୍ଟ୍ ଆଣ୍ଡ୍ ପେନସନ ଆକ୍ଟ ୧୯୫୧ ଆଧାରରେ ତାଙ୍କ ଦରମା ଧାର୍ଯ୍ୟ ହୋଇଥାଏ। ଏହି ଆଇନ ଅନୁସାରେ ପୂର୍ବରୁ ରାଷ୍ଟ୍ରପତିମାନେ ମାସିକ ୧୦ ହଜାର ଟଙ୍କା ଦରମା ପାଉଥିଲେ। ୧୯୯୮ ମସିହା ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଦରମା ୫୦ ହଜାର ଟଙ୍କା ଥିଲା। ସେହି ବର୍ଷ ରାଷ୍ଟ୍ରପତିଙ୍କ ଦରମା ଦେଢ଼ ଲକ୍ଷ ଟଙ୍କା ଥିଲା ଏବଂ ୨୦୧୮ ମସିହାରେ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ମାସିକ ଦରମା ବ୍ୟତୀତ ରାଷ୍ଟ୍ରପତିଙ୍କୁ ଅନେକ ପ୍ରକାରର ଭତ୍ତା ମିଳିଥାଏ |

* ରାଷ୍ଟ୍ରପତିଙ୍କ ଗାଡ଼ି ସମୟ ସମୟରେ ବଦଳିଥାଏ। ତେବେ ସୁରକ୍ଷା ବାଧାପ୍ରାପ୍ତ ହେବା ଦୃଷ୍ଟିରୁ ରାଷ୍ଟ୍ରପତିଙ୍କ ଗାଡ଼ି ନିର୍ମାତା,ମଡେଲ ଓ ପଞ୍ଜୀକରଣ ନମ୍ବର ଗୋପନ ରହିଥାଏ । ଅନ୍ୟ ଏକ ବିଷୟ ହେଲା ମହାମହିମଙ୍କ କାରରେ ଲାଇସେନ୍ସ ପ୍ଲେଟ ନଥାଏ। ଲାଇସେନ୍ସ ପ୍ଲେଟ ବଦଳରେ ଜାତୀୟ ଚିହ୍ନ ରହିଥାଏ। ସୂଚନା ଅନୁଯାୟୀ, ରାଷ୍ଟ୍ରପତିଙ୍କ ଗାଡ଼ିରେ ଭିଆର୯-ସ୍ତରର କ୍ଷେପଣାସ୍ତ୍ର ସୁରକ୍ଷା ରହିଥାଏ | ରାଷ୍ଟ୍ରପତି ଏବେ ମର୍ସିଡେଜ୍ ମେବ୍ୟାକ୍ ଏସ୬୦୦ ପୁଲମ୍ୟାନ ଗାର୍ଡ ଗାଡ଼ିରେ ଯାତାୟାତ କରନ୍ତି ।

* ଅବସର ପରେ ମଧ୍ୟ ରାଷ୍ଟ୍ରପତିଙ୍କୁ ଅନେକ ସୁବିଧା ମିଳିଥାଏ । ଅବସର ପରେ ତାଙ୍କୁ ମାସିକ ଦେଢ଼ ଲକ୍ଷ ଟଙ୍କା ପେନସନ ମିଳେ। ଏଥିସହିତ ତାଙ୍କୁ ବିନା ଭଡ଼ାରେ ଟାଇପ-୮ ବଙ୍ଗଳା ଯୋଗାଇ ଦିଆଯାଇଥାଏ । ଦୁଇଟି ଲ୍ୟାଣ୍ଡଲାଇନ ଏବଂ ଗୋଟିଏ ମୋବାଇଲ ଫୋନ ନମ୍ବର ମିଳିଥାଏ। ସହଯାତ୍ରୀଙ୍କ ସହିତ ସେ ଟ୍ରେନ ଓ ବିମାନରେ ମାଗଣା ଯାତ୍ରା କରିବାର ସୁଯୋଗ ପାଇଥାନ୍ତି|

Comments are closed.