ମୁମ୍ବାଇ: ଆର୍ୟନ ଖାନ୍ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇ ଜୋନର ପୂର୍ବତନ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖେଡେଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଦୁର୍ନୀତି ଅଭିଯୋଗ ନେଇ ତାଙ୍କ ବିରୋଧରେ ସିବିଆଇ ରୁଜୁ କରିଥିବା ଏତଲାରେ ଅନେକ ଚାଞ୍ଚଲ୍ୟକର ଖୁଲାସା ହୋଇଛି । ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଆର୍ୟନ ଖାନଙ୍କୁ ଫସାଇବାକୁ ଧମକ ଦେଇ ଅଭିନେତା ଶାହରୁଖ ଖାନଙ୍କ ପରିବାର ଠାରୁ ୨୫ କୋଟି ଟଙ୍କା ଲାଞ୍ଚ ଆଦାୟ ପାଇଁ ଯୋଜନା ହୋଇଥିଲା।
ଓ୍ବାଙ୍ଖେଡେ ଓ ଅନ୍ୟମାନଙ୍କ ବିରୋଧରେ ରୁଜୁ ସିବିଆଇ ଏତଲା ଅନୁଯାୟୀ ଏହି ମାମଲାରେ ସମୀର ଓ୍ବାଙ୍ଖେଡେ ଆର୍ୟନ ଖାନଙ୍କୁ ନ ଫସାଇବା ପାଇଁ ତାଙ୍କ ପରିବାରଠୁ ୨୫ କୋଟି ଟଙ୍କା ଲାଞ୍ଚ ଦାବି କରିଥିଲେ।
ଏତଲାର କପି ଅନୁଯାୟୀ ସମୀର ଓ୍ବାଙ୍ଖେଡେଙ୍କ ତରଫରୁ କେପି ଗୋସାଭି ନାମକ ବ୍ୟକ୍ତି ଏହି ଡିଲ୍ ପାଇଁ ମଧ୍ୟସ୍ଥତା କରୁଥିଲେ । ଗୋସାଭିଙ୍କୁ ଏହି ମାମଲାରେ ଏନସିବି ତରଫରୁ ସାକ୍ଷୀ ଭାବେ ସାମିଲ କରାଯାଇଥିଲା । ଶେଷରେ ଏହି ଡିଲ୍ ୧୮ କୋଟିରେ ଚୂଡ଼ାନ୍ତ ହୋଇଥିଲା । ଏପରିକି ଗୋସାଭି ୫୦ ଲକ୍ଷ ଟଙ୍କା ଆଡଭାନ୍ସ ମଧ୍ୟ ନେଇଥିଲେ।
ସମୀର ଓ୍ବାଙ୍ଖେଡେଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ମଧ୍ୟ ହୋଇଛି । ସେ ତାଙ୍କ ବିଦେଶ ଯାତ୍ରାର ଖର୍ଚ୍ଚ ଓ ମହଙ୍ଗା ଘଣ୍ଟା ଏବଂ ପୋଷାକ ବିଷୟରେ ସଠିକ୍ ତଥ୍ୟ ଦେଇନଥିବା କହିଛି ସିବିଆଇ।
ସିବିଆଇ ମେ ୧୨ରେ ସମୀର ଓ୍ବାଙ୍ଖେଡେଙ୍କ ଘରେ ଚଢ଼ାଉ କରିଥିଲା । ସିବିଆଇ ଟିମ୍ ଓ୍ବାଙ୍ଖେଡେଙ୍କୁ ତାଙ୍କ ମୁମ୍ବାଇ ଘରେ ୧୩ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା। ସିବିଆଇ ଅଧିକାରୀମାନେ ଓ୍ବାଙ୍ଖେଡେଙ୍କ ବାପା, ଶ୍ୱଶୁର ଏବଂ ଭଉଣୀଙ୍କ ଘରେ ମଧ୍ୟ ଛାନଭିନ୍ କରିଥିଲେ ।
Comments are closed.