ବିଳମ୍ବରେ ପହଞ୍ଚିବାରୁ ଅନନ୍ୟାଙ୍କ ଉପରେ ବର୍ଷିଲେ ଏନସିବି ଜୋନାଲ୍ ନିର୍ଦ୍ଦେଶକ ସମୀର ୱାଙ୍ଖେଡେ, କହିଲେ ‘ଏହା ତୁମର ପ୍ରଡକ୍ସନ ହାଉସ୍ ନୁହଁ’

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ତଦନ୍ତ ଜାରି ରଖିଛି। ଏହି ମାମଲାରେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଦୀର୍ଘ ଦିନ ଧରି ଜେଲରେ ଅଛନ୍ତି । ସ୍ବତନ୍ତ୍ର ଏନଡିପିଏସ୍ କୋର୍ଟ ମଧ୍ୟ ଆର୍ୟନଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହା ପରେ ଆର୍ୟନ ଖାନ ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଏହି ମାମଲାରେ ଚଙ୍କି ପାଣ୍ଡେଙ୍କ ଝିଅ ତଥା ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ନାମ ମଧ୍ୟ ଉଠିଛି।

ଏନସିବି ଅଧିକାରୀମାନେ ଅନନ୍ୟା ପାଣ୍ଡେଙ୍କୁ ଦୁଇଥର ପଚରାଉଚରା କରିସାରିଛନ୍ତି । ପୁଣି ଅକ୍ଟୋବର ୨୫ରେ ତାଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ଏହା ପୂର୍ବରୁ ଅନନ୍ୟା ଉଭୟ ଥର ଏନସିବି କାର୍ଯ୍ୟାଳୟରେ ବିଳମ୍ବରେ ପହଞ୍ଚିଥିଲେ । ଏଥିପାଇଁ ତାଙ୍କୁ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେ ତାଗିଦ୍ କରିବା ସହ ଚେତାବନୀ ଦେଇଛନ୍ତି। ବିଳମ୍ବରେ ଆସିଥିବାରୁ ଅନନ୍ୟାଙ୍କ ଉପରେ ବିରକ୍ତ ହୋଇ ସମୀର ୱାଙ୍ଖେଡେ ତାଙ୍କୁ କହିଥିଲେ ଯେ, ଏହା ତୁମର ପ୍ରଡକ୍ସନ ହାଉସ୍ ନୁହଁ |

ଶୁକ୍ରବାର ଦ୍ୱିତୀୟ ଥର ପାଇଁ ଅନନ୍ୟା ପାଣ୍ଡେଙ୍କୁ ପଚରାଉଚରା କରାଯାଇଥିଲା। ଏହି ସମୟରେ ଅନନ୍ୟାଙ୍କୁ ସକାଳ ୧୧ ଟାରେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିବାକୁ କୁହାଯାଇଥିଲା, କିନ୍ତୁ ଏହି ଅଭିନେତ୍ରୀ ୧୧ଟା ପରିବର୍ତ୍ତେ ୨ଟାରେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଅନନ୍ୟା ବିଳମ୍ବରେ ପହଞ୍ଚିବା ନେଇ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେ କ୍ଷୁବ୍ଧ ହୋଇଥିଲେ ‌‌। ଏହି କାରଣରୁ ସେ ଅନନ୍ୟାଙ୍କୁ ଭର୍ତ୍ସନା କରିଥିଲେ। ସେ କହିଥିଲେ, ‘ସକାଳ ୧୧ ଟାରେ ତୁମକୁ ହାଜର ହେବାକୁ କୁହାଯାଇଥିଲା, ତୁମେ ଏବେ ଆସୁଛ ! ଅଧିକାରୀମାନେ ତୁମକୁ ଅପେକ୍ଷା କରିପାରିବେ ନାହିଁ | ଏହା ତୁମର ପ୍ରଡକ୍ସନ ହାଉସ୍ ନୁହଁ | ଏହା ହେଉଛି କେନ୍ଦ୍ରୀୟ ଏଜେନ୍ସିର କାର୍ଯ୍ୟାଳୟ | ତୁମକୁ ଯେତେବେଳେ ହାଜର ହେବାକୁ କୁହାଯାଇଛି ସେ ସମୟରେ ଆସ |

ଏନସିବି ଅଧିକାରୀ ଅନନ୍ୟା ପାଣ୍ଡେଙ୍କୁ ଇତିମଧ୍ୟରେ ଦୁଇଥର ଜେରା କରିଛନ୍ତି। ଅନନ୍ୟାଙ୍କୁ ପ୍ରଥମେ ଗୁରୁବାର ଦିନ ପଚରାଉଚରା କରାଯାଇଥିଲା। ତାଙ୍କୁ ଦିନ ୨ଟାରେ ଏନସିବି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା, କିନ୍ତୁ ସେ ପ୍ରାୟ ୪ଟାରେ ପହଞ୍ଚିଥିଲେ। ସେହି ଦିନ ଅନନ୍ୟାଙ୍କୁ ୨ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଏହା ପରେ ଅନନ୍ୟାଙ୍କୁ ଶୁକ୍ରବାର ଦ୍ୱିତୀୟ ଥର ଡକାଯାଇଥିଲା। ୧୧ଟାରେ ପହଞ୍ଚିବାକୁ ଅନନ୍ୟାଙ୍କୁ କୁହାଯାଇଥିଲା। ହେଲେ ଏହି ଯୁବ ଅଭିନେତ୍ରୀ ୨:୩୦ରେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ | ତାଙ୍କୁ ଗତକାଲି ପ୍ରାୟ ଚାରି ଘଣ୍ଟା ଧରି ପଚରାଉଚରା ଚାଲିଥିଲା। ଅନନ୍ୟାଙ୍କୁ ଆର୍ୟନଙ୍କ ସହ ଡ୍ରଗ୍ସ ସମ୍ବନ୍ଧୀୟ ହ୍ବାଟସଆପ୍ ଚାଟିଂ ନେଇ ପ୍ରଶ୍ନ ପଚରାଯାଇଥିଲା।

Comments are closed.