ମଙ୍କିପକ୍ସ ଯୋଗୁଁ ଭାରତରେ ପ୍ରଥମ ମୃତ୍ୟୁ, କେରଳର ମୃତ ଯୁବକଙ୍କ ନମୁନା ପଜିଟିଭ୍

ନୂଆଦିଲ୍ଲୀ : ଜୁଲାଇ ୩୦ରେ କେରଳରେ ଯେଉଁ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିଲା ସେ ମଙ୍କିପକ୍ସରେ ଆକ୍ରାନ୍ତ ଥିଲେ । ତାଙ୍କ ଟେଷ୍ଟ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ମୃତ ଯୁବକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଭାରତରେ ଏହା ମଙ୍କିପକ୍ସ ଜନିତ ପ୍ରଥମ ମୃତ୍ୟୁ । ତେବେ ଏନେଇ ସରକାରୀ ଭାବେ ଘୋଷଣାକୁ ଅପେକ୍ଷା କରାଯାଇଛି ।

ସୂତ୍ରରୁ ପ୍ରକାଶ ଯେ ନିକଟରେ ଯୁବକ ଜଣକ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରୁ ଫେରିଥିଲେ। ସେଠାରେ ମଧ୍ୟ ସେ ମଙ୍କିପକ୍ସରେ ସଂକ୍ରମିତ ଥିବା ନିଶ୍ଚିତ କରାଯାଇଥିଲା।

ୟୁଏଇରେ ତାଙ୍କର ନମୁନା ୧୯ ଜୁଲାଇରେ ନିଆଯାଇଥିଲା ଏବଂ ସେ ୨୧ ଜୁଲାଇରେ ଭାରତ ଫେରିଥିଲେ | ଏହା ପରେ ଜୁଲାଇ ୨୭ରେ ତାଙ୍କୁ ଥ୍ରୀଶୂର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଯୁବକଙ୍କ ନମୁନା ପରୀକ୍ଷା ପାଇଁ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନ୍ଆଇଭି)କୁ ପଠାଯାଇଥିଲା।

ସୋମବାର ତାଙ୍କ ନମୁନାରେ ଏହି ସଂକ୍ରମଣ ନିଶ୍ଚିତ ହୋଇଛି ବୋଲି ସୂତ୍ରରୁ ପ୍ରକାଶ।

ସୂତ୍ରରୁ ପ୍ରକାଶ ଯେ ୟୁଏଇରେ ନିଆଯାଇଥିବା ତାଙ୍କ ନମୁନାରେ ମଙ୍କିପକ୍ସ ଭାଇରସ୍ ମିଳିଛି ବୋଲି ତାଙ୍କୁ ଜଣାଇ ଦିଆଯାଇଥିଲା । ସେହିଦିନ ହିଁ ଯୁବକ ଜଣଙ୍କ ମୃତ୍ୟୁ ହୋଇଥିଲା ।

କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ରବିବାର କହିଥିଲେ ଯେ ଯୁବକଙ୍କ ମୃତ୍ୟୁର କାରଣ କ’ଣ ତାହା ସ୍ୱାସ୍ଥ୍ୟ ବିଭାଗ ଅନୁସନ୍ଧାନ କରିବ ।

ଜର୍ଜ କହିଥିଲେ ଯେ ଯୁବକ ଜଣକ ଜୁଲାଇ ୨୧ରେ ୟୁଏଇରୁ ଫେରିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାରେ ବିଳମ୍ବ କାହିଁକି ହୋଇଛି ସେନେଇ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ତଦନ୍ତ କରିବ।

Comments are closed.