‘ଲାଉଡ୍ ସ୍ପିକର ବ୍ୟବହାର ନେଇ କେନ୍ଦ୍ର ଜାତୀୟ ନୀତି ଆଣୁ ଏବଂ ଏହାକୁ ପ୍ରଥମେ ବିଜେପି ଶାସିତ ରାଜ୍ୟରେ ଲାଗୁ କରୁ’

ମୁମ୍ବାଇ: କେନ୍ଦ୍ର ସରକାର ଲାଉଡ୍ ସ୍ପିକର ବ୍ୟବହାର ଉପରେ ଏକ ଜାତୀୟ ନୀତି ଆଣନ୍ତୁ ଏବଂ ଏହାକୁ ପ୍ରଥମେ ବିଜେପି ଶାସିତ ରାଜ୍ୟରେ ଲାଗୁ କରାଯାଉ ବୋଲି ଶିବସେନା ନେତା ସଞ୍ଜୟ ରାଉତ ଦାବି କରିଛନ୍ତି।

ଚଳିତ ମାସ ଆରମ୍ଭରେ ମହାରାଷ୍ଟ୍ରର ମସଜିଦ ଗୁଡିକରେ ଲାଗିଥିବା ଲାଉଡ ସ୍ପିକର ହଟାଇବାକୁ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ଦାବି କରିବା ପରେ ଲାଉଡ ସ୍ପିକର ଏବେ ଏକ ହଟ୍-ବଟନ୍ ପ୍ରସଙ୍ଗ ପାଲଟିଛି।

ରାଉତ ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ମୋର ପାର୍ଟି ତରଫରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲାଉଡ ସ୍ପିକର ବ୍ୟବହାର ଉପରେ ଏକ ଜାତୀୟ ନୀତି ପ୍ରସ୍ତୁତ କରିବାକୁ ଏବଂ ବିହାର, ଦିଲ୍ଲୀ ଏବଂ ଗୁଜୁରାଟ ଭଳି ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବାକୁ ଅପିଲ କରୁଛି।

ସେ କହିଛନ୍ତି ଯେ ଯଦି ଏଭଳି କରାଯାଏ, ତେବେ ମହାରାଷ୍ଟ୍ର ସ୍ବତଃ ଏ ସମ୍ବନ୍ଧୀୟ ଆଇନର ଅନୁପାଳନ କରିବ। ବିଜେପି ଉପରେ କଟାକ୍ଷ କରି ସେ କହିଛନ୍ତି ଯେ ଆପଣଙ୍କ ଲୋକ ଲାଉଡ ସ୍ପିକର ବ୍ୟବହାରକୁ ନେଇ ବିବାଦ ସୃଷ୍ଟି କରିଛନ୍ତି ତେଣୁ ଏ ସମ୍ବନ୍ଧରେ ଏକ ଜାତୀୟ ନୀତିର ଆବଶ୍ୟକତା ରହିଛି।

ରାଜ୍ୟସଭା ସଦସ୍ୟ ରାଉତ କହିଛନ୍ତି ଯେ ଗୁଜୁରାଟ ଏବଂ ଉତ୍ତରପ୍ରଦେଶରେ ଏପର୍ଯ୍ୟନ୍ତ ଲାଉଡ ସ୍ପିକର ହଟାଯାଇ ନାହିଁ। ଗୋ ହତ୍ୟାକୁ ନିଷିଦ୍ଧ କରିବା ପାଇଁ କେନ୍ଦ୍ର ସରକାର ଏକ ନୀତି ପ୍ରଣୟନ କରିଥିଲେ ମଧ୍ୟ ଉତ୍ତର-ପୂର୍ବ ରାଜ୍ୟ ତଥା ଗୋଆକୁ ଏଥିରୁ ମୁକ୍ତ କରିଥିଲେ । କାରଣ ଏହି ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନେ ଗୋ ହତ୍ୟା ଉପରେ କଟକଣାକୁ ବିରୋଧ କରିଥିଲେ। ଏ ବାବଦରେ ଜାତୀୟ ନୀତି କାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ରାଉତ କହିଛନ୍ତି, ଲାଉଡ ସ୍ପିକର ଉପରେ ଏକ ଜାତୀୟ ନୀତି ପ୍ରସ୍ତୁତ କର ଏବଂ ଯଦି ତୁମର ସାହସ ଅଛି ତେବେ ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କର।

Comments are closed.