କୁସ୍ତି ସଂଘ ନିଲମ୍ବନ ବିରୋଧରେ କୋର୍ଟ ଯିବେ ସଞ୍ଜୟ ସିଂହ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ (ଡବ୍ଲୁଏଫ୍ଆଇ)ର ନବ ନିର୍ବାଚିତ ସଭାପତି ସଞ୍ଜୟ ସିଂହ ସଂଘର ନିଲମ୍ବନକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି କହିଛନ୍ତି । କୁସ୍ତି ସଂଘକୁ ନିଲମ୍ବିତ କଲାବେଳେ କ୍ରୀଡା ମନ୍ତ୍ରଣାଳୟ ଉପଯୁକ୍ତ ପ୍ରକ୍ରିୟା ପାଳନ କରିନାହିଁ । ସରକାରଙ୍କ ଏହି ନିଷ୍ପତ୍ତିକୁ ସେ କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ସଞ୍ଜୟ ସିଂହ କହିଛନ୍ତି ।

ନିର୍ବାଚନର ତିନି ଦିନ ପରେ କ୍ରୀଡା ମନ୍ତ୍ରଣାଳୟ ରବିବାର ଡବ୍ଲୁଏଫଆଇକୁ ନିଲମ୍ବିତ କରିଥିଲା। ଅଣ୍ଡର -୧୫ ଏବଂ ଅଣ୍ଡର -୨୦ ଜାତୀୟ ଚାମ୍ପିୟନସିପ ଘୋଷଣା ସହ କିଛି ନିଷ୍ପତ୍ତି ନେବାବେଳେ ଡବ୍ଲୁଏଫ୍ଆଇ ନିଜ ସମ୍ବିଧାନର ଉଲ୍ଲଂଘନ କରିଥିବା କହି କ୍ରୀଡ଼ା ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଇଥିଲା ।

ସଞ୍ଜୟ ସିଂହ କହିଛନ୍ତି, ସରକାର ଡବ୍ଲୁଏଫ୍ଆଇର ପକ୍ଷ ନ ଶୁଣି ସ୍ଵୟଂଶାସିତ ତଥା ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସଂସ୍ଥାକୁ ନିଲମ୍ବିତ କରିଛନ୍ତିି । ଆମେ ଏହାକୁ ଗ୍ରହଣ କରିବୁ ନାହିଁ।

ଡବ୍ଲୁଏଫ୍ଆଇର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ପଚରାଯିବାରୁ ସେ କହିଛନ୍ତି, “ଡବ୍ଲୁଏଫ୍ଆଇ ଏକ ସ୍ୱୟଂଶାସିତ ସଂସ୍ଥା । ଏହାକୁ ନିଲମ୍ବନ କଲାବେଳେ ସରକାର ଆବଶ୍ୟକ ପ୍ରକ୍ରିୟା ପାଳନ କରିନାହାଁନ୍ତି। ଆମେ ସରକାରଙ୍କ ସହ କଥା ହେବୁ । ଯଦି ସରକାର ଏହି ନିଲମ୍ବନ ପ୍ରତ୍ୟାହାର ନକରନ୍ତି, ତେବେ ଆମେ ଆଇନଗତ ପରାମର୍ଶ ଲୋଡ଼ିବୁ ଓ କୋର୍ଟ ଯିବୁ।

ସଞ୍ଜୟ କହିଛନ୍ତି, ନିଲମ୍ବନକୁ ଡବ୍ଲୁଏଫ୍ଆଇ ବିରୋଧ କରୁଥିବାରୁ ଆଇଓଏ ଦ୍ୱାରା ଗଠିତ ତିନି ଜଣିଆ ଆଡ୍ ହକ୍ କମିଟିକୁ ଆମେ ଗ୍ରହଣ କରିବୁନି |

ଡବ୍ଲୁଏଫ୍ଆଇର ଦୈନନ୍ଦିନ କାର୍ଯ୍ୟ ତଦାରଖ କରିବା ପାଇଁ ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ବୁଧବାର ଏକ ତିନି ଜଣିଆ ଆଡ୍ ହକ୍ କମିଟି ଗଠନ କରିଥିଲା |

ସଞ୍ଜୟ ଆହୁରି କହିଛନ୍ତି, ଯେତେବେଳେ ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆଙ୍କୁ ଭେଟିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଖଡ଼ାରେ ପହଞ୍ଚିଥିଲେ ସେତେବେଳେ ସ୍ପଷ୍ଟ ହୋଇଯାଇଥିଲା ଯେ ଏହି ତିନି (ବଜରଙ୍ଗ, ବିନେଶ ଫୋଗାଟ ଓ ସାକ୍ଷୀ ମଲିକ) ରାଜନୀତି କରୁଛନ୍ତି।

Comments are closed.