ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ: କାତାର, କୁଏତ ଓ ଇରାନ ପରେ ସାଉଦି ଆରବର ସମାଲୋଚନା

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟ ନେଇ ଆରବ ରାଷ୍ଟ୍ରରେ ଝଡ଼ ସୃଷ୍ଟି ହୋଇଛି । ଏଥିପାଇଁ ଆରବରେ ଭାରତ ବିରୋଧୀ ସାମଗ୍ରୀ ଓ ଫିଲ୍ମ ବର୍ଜନ କରିବାକୁ ମଧ୍ୟ ସୋସିଆଲ ମିଡ଼ିଆରେ ଆହ୍ବାନ କରାଯାଇଛି । କାତାର, କୁଏତ ଏବଂ ଇରାନ ପରେ ଏବେ ସାଉଦି ଆରବ ମଧ୍ୟ ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ସମାଲୋଚନା କରିଛି । ସାଉଦି ଆରବର ବୈଦେଶିକ ମନ୍ତ୍ରଣାଳୟ ସୋମବାର ଏକ ବିବୃତି ଜାରି କରି ବିଜେପି ମୁଖପାତ୍ରଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ ସବୁ ଧର୍ମକୁ ସମ୍ମାନ ଦେବା ପାଇଁ ଭାରତ ସରକାରଙ୍କୁ ଆହ୍ବାନ କରିଛି । ତେବେ ନିଜ ମୁଖପାତ୍ରଙ୍କୁ ନିଲମ୍ବନ ନେଇ ବିଜେପିର ପଦକ୍ଷେପକୁ ସାଉଦି ଆରବର ବୈଦେଶିକ ମନ୍ତ୍ରଣାଳୟ ସ୍ୱାଗତ କରିଛି ।

ଏହାପୂର୍ବରୁ କତାର, ଇରାନ ଏବଂ କୁଏତ ବିଜେପି ନେତାଙ୍କ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ନେଇ ରବିବାର ଦିନ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଉପସାଗରୀୟ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଦେଶମାନେ ଏହି ମନ୍ତବ୍ୟକୁ ନିନ୍ଦା କରିବା ସହ ଭାରତ ସରକାର କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ।

ଆରବ ରାଷ୍ଟ୍ର ମାନଙ୍କର ପ୍ରତିକ୍ରିୟା ପରେ କୂଟନୈତିକ ଚାପରେ ଆସି ବିଜେପି ରବିବାର ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ ପାଇଁ ନିଜ ଜାତୀୟ ମୁଖପାତ୍ର ନୁପୂର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରିଥିଲା। ଏଥି ସହ ଦଳର ହାଇକମାଣ୍ଡ ଦିଲ୍ଲୀ ୟୁନିଟର ମିଡିଆ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ବିଜେପିରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ।

Comments are closed.