ବଢ଼ିଲା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ, ମାନହାନି ମାମଲା ଦାୟର କଲେ ସାବରକରଙ୍କ ନାତି

ନୂଆଦିଲ୍ଲୀ: ‘ମୋଦୀ ସାଙ୍ଗି’ ବୟାନ ପାଇଁ ସାଂସଦ ପଦ ହରାଇଥିବା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଅଡ଼ୁଆ ଥମିବାର ନାଁ ନେଉନାହିଁ। ଏବେ ତାଙ୍କ ବିରୋଧରେ ପୁଣି ଏକ ମାନହାନି ମାମଲା ଦାୟର ହୋଇଛି । ସ୍ୱାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସାବରକରଙ୍କ ନାତି ସାତ୍ୟକୀ ସାବରକର ରାହୁଲଙ୍କ ବିରୋଧରେ ଅପରାଧିକ ମାନହାନି କେସ୍ କରିଛନ୍ତି।

ସାତ୍ୟକୀ ସାବରକର ଗଣମାଧ୍ୟମକୁ କହିଛନ୍ତି ଯେ ରାହୁଲ ଗାନ୍ଧୀ ନିକଟରେ ଲଣ୍ଡନ ଗସ୍ତ ବେଳେ ବୀର ସାବରକରଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିଲେ। ରାହୁଲ ଗାନ୍ଧୀ କହିଥିଲେ, ବୀର ସାବରକର ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ ଯେତେବେଳେ ତାଙ୍କ ସାଥୀମାନେ ଜଣେ ମୁସଲମାନଙ୍କୁ ମାଡ଼ ମାରୁଥିଲେ, ସାବରକର ଏହି ଦୃଶ୍ୟ ଦେଖି ଖୁସି ହୋଇଥିଲେ।

ବୀର ସାବରକରଙ୍କ କୌଣସି ପୁସ୍ତକରେ ଏଭଳି କିଛି ଲେଖାଯାଇ ନାହିଁ। ରାହୁଲ ଗାନ୍ଧୀ ମିଛ କହୁଛନ୍ତି ବୋଲି ସାତ୍ୟକୀ କହିଛନ୍ତି ।

ସାତ୍ୟକୀ କହିଛନ୍ତି ଯେ ରାହୁଲ ଗାନ୍ଧୀ କେବଳ ଭୋଟ୍ ବ୍ୟାଙ୍କ ପାଇଁ ବିନା ତଥ୍ୟରେ ଏଭଳି ବୟାନ ଦେଉଛନ୍ତି। ଏବେ ଆମେ ଏ ମାମଲାରେ କୋର୍ଟକୁ ଯିବାକୁ ନିଷ୍ପତ୍ତି ନେଇଛୁ । ଶୁଣାଣି ପାଇଁ କୋର୍ଟ ଆମକୁ ଏପ୍ରିଲ ୧୫ ତାରିଖ ଦେଇଛନ୍ତି।

ବର୍ତ୍ତମାନ ରାହୁଲ ଗାନ୍ଧୀ କୋର୍ଟରେ କହିବେ ଯେ ସେ କେଉଁ ପୁସ୍ତକରେ ଏହି ତଥ୍ୟ ପଢ଼ିଛନ୍ତି। ରାହୁଲ ଗାନ୍ଧୀଙ୍କ ଉକ୍ତ ବୟାନ ବେଳର ଏକ ଭିଡିଓ ଉପଲବ୍ଧ ଏବଂ ଏହା କୋର୍ଟରେ ଉପସ୍ଥାପନ କରାଯିବ ବୋଲି ସାତ୍ୟକୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ‘ମୋଦୀ ସାଙ୍ଗିଆ’ ବୟାନ ପାଇଁ ବିହାରରେ ମଧ୍ୟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ମାମଲା ବିଚାରାଧୀନ ରହିଛି । ପୁଣି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସର୍ମା ଏକ ସୋସିଆଲ ମିଡିଆ ପୋଷ୍ଟ ପାଇଁ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିବାକୁ ଧମକ ଦେଇଛନ୍ତି।

Comments are closed.