ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ଦାଖଲ ପାଇଁ ଜୁନ୍ ୩୦ ଯାଏ ସମୟ ମାଗିଲା ଷ୍ଟେଟ୍ ବ୍ୟାଙ୍କ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ନିର୍ବାଚନୀ ବଣ୍ଡ୍ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ ସୁପ୍ରିମକୋର୍ଟଙ୍କୁ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ମାଗିଛି। ଗତ ମାସରେ ସୁପ୍ରିମକୋର୍ଟ ମାର୍ଚ୍ଚ ୬ ସୁଦ୍ଧା ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ସମସ୍ତ ତଥ୍ୟ ଦାଖଲ କରିବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସୁପ୍ରିମକୋର୍ଟରେ ଦାୟର ଏକ ଆବେଦନରେ ଏସବିଆଇ ଏଥିପାଇଁ ଅଧିକ ସମୟ ଦେବାକୁ ଅନୁରୋଧ କରିଛି ‌। ଏସବିଆଇ ଯୁକ୍ତି ଦର୍ଶାଇଛି ଯେ “ପ୍ରତ୍ୟେକ ସିଲୋ” ରୁ ତଥ୍ୟ ବାହାର କରି “ଡିକୋଡିଂ” କରିବା ଏବଂ ଦାତାମାନଙ୍କ ଦ୍ୱାରା ଦିଆଯାଇଥିବା ଚାନ୍ଦା ପରିମାଣ ସହ ଏହାକୁ ମେଳ କରିବା ଏକ ଜଟିଳ ପ୍ରକ୍ରିୟା।ଏଣୁ ଏହା ସମୟ ଲାଗିବ।

ସର୍ବୋଚ୍ଚ ନ୍ୟାୟାଳୟ ଏସବିଆଇକୁ ପ୍ରତ୍ୟେକ ନିର୍ବାଚନୀ ବଣ୍ଡର କ୍ରୟ ତାରିଖ, ବଣ୍ଡର କ୍ରେତାଙ୍କ ନାମ ଏବଂ କିଣାଯାଇଥିବା ନିର୍ବାଚନୀ ବଣ୍ଡର ମୂଲ୍ୟର ତଥ୍ୟ ସାର୍ବଜନୀନ କରିବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲେ।

ଫେବୃଆରୀ ୧୫ରେ ଏକ ଐତିହାସିକ ରାୟରେ ସୁପ୍ରିମକୋର୍ଟ ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେବା ପାଇଁ ବ୍ୟବହାର କରାଯାଉଥିବା ନିର୍ବାଚନୀ ବଣ୍ଡ ଯୋଜନାକୁ ଅସାମ୍ବିଧାନିକ ବୋଲି କହି ରଦ୍ଦ କରି ଦେଇଥିଲେ । ଏହା ଭୋଟରଙ୍କ ସୂଚନା ଅଧିକାରର ଉଲ୍ଲଂଘନ ବୋଲି କହିଥିଲେ କୋର୍ଟ। ଏହାଛଡ଼ା ଚାନ୍ଦା ଦାତା, ବଣ୍ଡ୍ ମୂଲ୍ୟ ଏବଂ ପ୍ରାପ୍ତକର୍ତ୍ତା ଦଳ ସମ୍ପର୍କରେ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଉଚ୍ଚତମ ନ୍ୟାୟାଳୟ।

ଲୋକସଭା ନିର୍ବାଚନ ପୂର୍ବରୁ ନିଜ ରାୟରେ ସର୍ବୋଚ୍ଚ ନ୍ୟାୟାଳୟ ଏସବିଆଇକୁ ୬ ବର୍ଷ ପୁରୁଣା ନିର୍ବାଚନୀ ବଣ୍ଡ୍ ଯୋଜନାରେ ଦାତାଙ୍କ ନାମ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

Comments are closed.