ଗର୍ଭବତୀ ମହିଳାଙ୍କ ପାଇଁ ବିବାଦୀୟ ନିୟମ ପ୍ରତ୍ୟାହାର କଲା ଏସବିଆଇ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଗର୍ଭବତୀ ମହିଳାଙ୍କ ନିଯୁକ୍ତି ସମ୍ବନ୍ଧୀୟ ବିବାଦୀୟ ସର୍କୁଲାରକୁ ପ୍ରତ୍ୟାହାର କରିଛି । ଶନିବାର ଏ ବାବଦରେ ବ୍ୟାଙ୍କ ଏକ ବିବୃତ୍ତି ଜାରି କରିଛି। ସମାଲୋଚନାର ସମ୍ମୁଖୀନ ହେବା ପରେ ଦେଶର ବୃହତ୍ତମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗର୍ଭବତୀ ମହିଳାଙ୍କ ନିଯୁକ୍ତି ସମ୍ପର୍କିତ ସର୍କୁଲାର ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଏସବିଆଇ ନିକଟରେ ‘ବ୍ୟାଙ୍କରେ ନିଯୁକ୍ତି ପାଇଁ ଫିଟନେସ୍ ଷ୍ଟାଣ୍ଡାର୍ଡ’ର ସମୀକ୍ଷା କରି ଗର୍ଭବତୀ ମହିଳାଙ୍କ ପାଇଁ କିଛି ନୂଆ ଗାଇଡ ଲାଇନ୍ ଜାରି କରିଥିଲା । ନୂଆ ନିୟମ ଅନୁଯାୟୀ, ତିନି ମାସରୁ ଅଧିକ ଗର୍ଭବତୀ ଥିବା ଜଣେ ମହିଳା ପ୍ରାର୍ଥୀଙ୍କୁ “ସାମୟିକ ଅଯୋଗ୍ୟ” ବିବେଚନା କରାଯିବ ଏବଂ ପ୍ରସବ ପରେ ଚାରିମାସ ମଧ୍ୟରେ ସେ ବ୍ୟାଙ୍କରେ ଯୋଗ ଦେଇପାରିବେ |

ଏସବିଆଇର ଏହି ପଦକ୍ଷେପକୁ ସର୍ବଭାରତୀୟ ବ୍ୟାଙ୍କ୍ କର୍ମଚାରୀ ସଂଘ ଏବଂ ଦିଲ୍ଲୀ ମହିଳା ଆୟୋଗ ସମେତ ଚାରିଆଡୁ ସମାଲୋଚିତ ହୋଇଥିଲା। ବ୍ୟାଙ୍କ ଏକ ବିବୃତ୍ତିରେ କହିଛି ଯେ ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ଗର୍ଭବତୀ ମହିଳା ପ୍ରାର୍ଥୀ ନିଯୁକ୍ତି ସମ୍ବନ୍ଧରେ ସଂଶୋଧିତ ଗାଇଡ ଲାଇନକୁ ସ୍ଥଗିତ ରଖିବାକୁ ଏବଂ ପୂର୍ବରୁ ପ୍ରଚଳିତ ନିୟମ ଜାରି ରଖିବାକୁ ଏସବିଆଇ ନିଷ୍ପତ୍ତି ନେଇଛି। ଏହାପୂର୍ବରୁ, ଦିଲ୍ଲୀ ମହିଳା ଆୟୋଗ (ଡିସିଡବ୍ଲ୍ୟୁ) ଶନିବାର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)କୁ ଗର୍ଭବତୀଙ୍କ ପାଇଁ ନୂଆ ନିୟମ ପ୍ରତ୍ୟାହାର କରିବାକୁ ନୋଟିସ ଜାରି କରିଥିଲା ।

Comments are closed.