ଉଦ୍ଧବ ଗୋଷ୍ଠୀ ବିଧାୟକଙ୍କ ଅଯୋଗ୍ୟତା ଉପରେ କୌଣସି ନିଷ୍ପତ୍ତି ନ ନେବାକୁ ମହାରାଷ୍ଟ୍ର ବାଚସ୍ପତିଙ୍କୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ୧୬ ବିଦ୍ରୋହୀ ଶିବସେନା ବିଧାୟକଙ୍କ ଅଯୋଗ୍ୟତା ମାମଲା ଉପରେ ଶୁଣାଣିକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ସୁପ୍ରିମକୋର୍ଟ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନର୍ଭେକରଙ୍କୁ ଏହି ମାମଲାରେ କୌଣସି ନିଷ୍ପତ୍ତି ନ ନେବାକୁ କହିଛନ୍ତି।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମନ୍ନା କହିଛନ୍ତି ଯେ ଏହି ମାମଲାରେ ଅନେକ ପିଟିସନ ଦାୟର ହୋଇଥିବାରୁ ଶୁଣାଣି ପାଇଁ ସାମ୍ବିଧାନିକ ଖଣ୍ଡପୀଠର ଆବଶ୍ୟକତା ରହିଛି । ତେଣୁ ଏହି ମାମଲା ତାଲିକାଭୁକ୍ତ କରିବାକୁ ସମୟ ଲାଗିବ। ଗତ କିଛି ଦିନ ହେବ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ବିଧାୟକଙ୍କ ଅଯୋଗ୍ୟତା ମାମଲା କୋର୍ଟରେ ପହଞ୍ଚିଥିଲା।

ଏହାରି ଭିତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେ ଇସ୍ତଫା ଦେଇଥିଲେ ଏବଂ ପରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ବିଜେପି ସହାୟତାରେ ସରକାର ଗଠନ କରିଥିଲେ।

ପ୍ରଥମ ଅଯୋଗ୍ୟତା ମାମଲା ବିଦ୍ରୋହୀ ଶିବସେନା ଦଳର କିଛି ବିଧାୟକଙ୍କ ସହ ଜଡିତ ଥିଲା, ଯାହାକୁ ମହାରାଷ୍ଟ୍ର ଉପବାଚସ୍ପତି ନୋଟିସ୍ ଜାରି କରିଥିଲେ। କାରଣ ସେହି ସମୟରେ ବାଚସ୍ପତିଙ୍କ ପଦ ଖାଲି ପଡ଼ିଥିଲା | ଏହି ନୋଟିସକୁ ସିନ୍ଦେ ଗୋଷ୍ଠୀ ପକ୍ଷରୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏହା ଉପରେ ଶୁଣାଣି ପାଇଁ ଜୁଲାଇ ୧୧କୁ ଦିନ ଧାର୍ଯ୍ୟ କରାଯାଇଥିଲା।

ସେପଟେ ଏକନାଥ ସିନ୍ଦେ ସରକାର ଗଠନ ପରେ ବିଜେପିର ରାହୁଲ ନର୍ଭକର ମହାରାଷ୍ଟ୍ର ବିଧାନସଭାର ନୂଆ ବାଚସ୍ପତି ହୋଇଥିଲେ। ଉଦ୍ଧବ କ୍ୟାମ୍ପର ବିଧାୟକମାନେ ଯେତେବେଳେ ସିନ୍ଦେଙ୍କୁ ଭୋଟ୍ ଦେଇନଥିଲେ, ସେତେବେଳେ ଉଦ୍ଧବ ଟିମର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରି ନୋଟିସ ଜାରି କରାଯାଇଥିଲା ।

ଏହା ପରେ ଉଦ୍ଧବ ଗୋଷ୍ଠୀ ମଧ୍ୟ ସୁପ୍ରିମକୋର୍ଟରେ ଏହି ମାମଲାକୁ ଚ୍ୟାଲେଞ୍ଜ କରିଥିଲେ। ଏହାର ଶୁଣାଣି ତାରିଖ ମଧ୍ୟ ଜୁଲାଇ ୧୧ରେ ରଖାଯାଇଥିଲା |

ଏହି ସମୟରେ ଏକନାଥ ସିନ୍ଦେଙ୍କ ସରକାର ବିଧାନସଭାରେ ବହୁମତ ସାବ୍ୟସ୍ତ କରିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏହି ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ।

ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ଼ ସେତେବେଳେ ଆସିଥିଲା ଯେତେବେଳେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଅନେକ ଶିବସେନା ବିଧାୟକ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ।

ଶେଷରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ବିଜେପି ସମର୍ଥନରେ ଏକନାଥ ସିନ୍ଦେ ସରକାର ଗଠନ କରିଥିଲେ ।

Comments are closed.