ଅଦାଲତ ଅବମାନନା ମାମଲାରେ ବିଜୟ ମାଲ୍ୟାଙ୍କୁ ଚାରି ମାସ ଜେଲ୍ ଓ ଦୁଇ ହଜାର ଜରିମାନା

ନୂଆଦିଲ୍ଲୀ: ଏକ ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ପଳାତକ ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଚାରିମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହାଛଡ଼ା ତାଙ୍କୁ ଦୁଇ ହଜାର ଟଙ୍କା ଜରିମାନା କରାଯାଇଛି।

ଏହି ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ମାଲ୍ୟାଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯିବା ଉଚିତ। ଏହା ସହ ସୁପ୍ରିମକୋର୍ଟ ବିଜୟ ମାଲ୍ୟାଙ୍କୁ ସୁଧ ସହିତ ୪୦ ମିଲିୟନ ଡଲାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କୁ ଚାରି ସପ୍ତାହ ମଧ୍ୟରେ ଏହି ଦେୟ ଦେବାକୁ ପଡିବ | ଯଦି ବିଜୟ ମାଲ୍ୟା ଏହା ନକରନ୍ତି ତେବେ ତାଙ୍କ ସମ୍ପତ୍ତି ଜବତ କରାଯିବ।

ସୁପ୍ରିମକୋର୍ଟଙ୍କ ଆଦେଶକୁ ଉଲ୍ଲଂଘନ କରି ବିଜୟ ମାଲ୍ୟା ତାଙ୍କ ପିଲାମାନଙ୍କୁ ୪୦ ମିଲିୟନ ଡଲାର ପଠାଇଥିବାରୁ ଅଦାଲତ ଅବମାନନା ନେଇ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୧୭ରେ କୋର୍ଟ ଏହି ରାୟ ଦେଇଥିଲେ।

ଏହା ପରେ କୋର୍ଟ ତାଙ୍କୁ ହାଜର ହେବାକୁ ଅନେକ ଥର ନୋଟିସ୍ ଜାରି କରିଥିଲେ। କିନ୍ତୁ ମାଲ୍ୟା କୋର୍ଟରେ ହାଜର ହୋଇ ନ ଥିବାରୁ ଏବଂ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରାଯାଇ ନ ଥିବାରୁ ଗତ ବର୍ଷ କୋର୍ଟ ଏହି ଦଣ୍ଡାଦେଶ ଉପରେ ଶୁଣାଣି ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ ।

ଚଳିତ ବର୍ଷ ଫେବୃଆରୀରେ ସମାନ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ କିମ୍ବା ତାଙ୍କ ଓକିଲଙ୍କ ମାଧ୍ୟମରେ କୋର୍ଟରେ ହାଜର ହେବାର ଶେଷ ସୁଯୋଗ ଦେଇଥିଲେ।

ବିଜୟ ମାଲ୍ୟା ମଧ୍ୟ ୨୦୧୭ ରାୟର ପୁନଃବିଚାର ପାଇଁ ଏକ ଆବେଦନ କରିଥିଲେ ଯାହା କୋର୍ଟ ଖାରଜ କରି ଦେଇଥିଲେ।

Comments are closed.