ଦେଶରେ କୁକୁର କାମୁଡ଼ା ମାମଲା ବୃଦ୍ଧି ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ, ଗତ ୭ ବର୍ଷର ତଥ୍ୟ ମାଗିଲେ

ନୂଆଦିଲ୍ଲୀ: ଦେଶରେ କୁକୁର କାମୁଡ଼ା ଜନିତ ମାମଲା ବଢୁଥିବା ନେଇ ସୁପ୍ରିମକୋର୍ଟ ଗୁରୁବାର ଚିନ୍ତା ବ୍ୟକ୍ତ କରିଛନ୍ତି। ଦେଶରେ ଗତ ୭ ବର୍ଷରେ କୁକୁର କାମୁଡ଼ା ଜନିତ ମାମଲା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ପଶୁ କଲ୍ୟାଣ ବୋର୍ଡ (ଏଡବ୍ଲ୍ୟୁବି) କୁ କହିଛନ୍ତି। ଏହି ଆତଙ୍କକୁ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ କୋର୍ଟ ଜବାବ ମାଗିଛନ୍ତି। ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ କେଉଁ ସବୁ ରାଜ୍ୟରେ କୁକୁର କାମୁଡ଼ିବା କାରଣରୁ ମୃତ୍ୟୁ ହୋଇଛି ଏବଂ କେତେ ଲୋକ ଆହତ ହୋଇଛନ୍ତି ତାହା ଆମେ ଜାଣିବାକୁ ଚାହୁଁଛୁ। ଏଥିପାଇଁ ଗାଇଡ ଲାଇନ୍ ଜାରି କରିବାର ଆବଶ୍ୟକତା ଅଛି କି ନାହିଁ ବୋଲି ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି ।

ଚଳିତ ବର୍ଷ କେରଳରେ କୁକୁର କାମୁଡ଼ା ଜନିତ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରି କହିଛନ୍ତି ଯେ କେରଳରେ ଏଭଳି ମାମଲା ଚଳିତ ବର୍ଷ ବୃଦ୍ଧି ପାଇଛି। ଆମେ ସମସ୍ତେ କୁକୁରକୁ ଭଲପାଉ । କିନ୍ତୁ ବୁଲା କୁକୁର କାମୁଡ଼ିଲେ ଯଦି ସମସ୍ୟା ସୃଷ୍ଟି ହୁଏ ତେବେ ଆମକୁ ଏହାର ସମାଧାନ ଖୋଜିବାକୁ ହେବ | କୋର୍ଟ କହିଛନ୍ତି ଯଦି କେହି କୁକୁର କାମୁଡ଼ାର ଶିକାର ହୁଅନ୍ତି, ତେବେ ଏହିପରି ଲୋକଙ୍କ ଟିକାକରଣ ଏବଂ ଚିକିତ୍ସା ଖର୍ଚ୍ଚ ବହନ କରିବା ଦାୟିତ୍ୱ ସେମାନଙ୍କୁ ଦିଆଯାଇପାରେ ଯେଉଁମାନେ ବୁଲା କୁକୁରମାନଙ୍କୁ ଖାଇବାକୁ ଦେଇ ପାଳନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ କୁକୁର କାମୁଡ଼ିବା ପ୍ରସଙ୍ଗ ବର୍ତ୍ତମାନ ସମଗ୍ର ଦେଶ ପାଇଁ ଏକ ସମସ୍ୟା ପାଲଟିଛି। ଆମକୁ ଏହି ସମସ୍ୟାର ସମାଧାନ ଖୋଜିବାକୁ ପଡିବ |

Comments are closed.