ମୋଦୀ ସାଙ୍ଗିଆ ମାମଲା: ଗୁଜରାଟ ସରକାର ଓ ପୂର୍ଣ୍ଣେଶ ମୋଦୀଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ରାହୁଲ ଗାନ୍ଧୀ କରିଥିବା ଆବେଦନ ଉପରେ ଗୁଜରାଟ ସରକାର ଓ ଆବେଦନକାରୀ ପୂର୍ଣ୍ଣେଶ ମୋଦୀଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଏହି ଅପରାଧିକ ମାନହାନୀ ମାମଲାରେ ଗୁଜରାଟ ହାଇକୋର୍ଟ ରାହୁଲଙ୍କ ବିରୋଧରେ ତଳକୋର୍ଟର ଦଣ୍ଡାଦେଶ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଥିଲେ ।

ଜଷ୍ଟିସ ବିଆର୍ ଗଭାଇ ଓ ଜଷ୍ଟିସ ପିକେ ମିଶ୍ରାଙ୍କ ଖଣ୍ଡପୀଠ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୪ରେ କରିବେ।

ରାହୁଲ ଗାନ୍ଧୀ ତାଙ୍କ ଆବେଦନରେ କହିଛନ୍ତି, ଯଦି ଜୁଲାଇ ୭ର ଗୁଜରାଟ ହାଇକୋର୍ଟ ରାୟ ଉପରେ ରହିତାଦେଶ ଜାରି ନ କରାଯାଏ ତେବେ ଏହା ଅଭିବ୍ୟକ୍ତିର ସ୍ବାଧୀନତା ଓ ବିଚାରଧାରାର ଗଳା ଦବାଇବା ଭଳି ହେବ।

୨୦୧୯ରେ କର୍ଣ୍ଣାଟକର କୋଲାରରେ ଏକ ନିର୍ବାଚନ ରାଲିରେ ରାହୁଲଙ୍କ ମନ୍ତବ୍ୟ ନେଇ ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ତାଙ୍କ ବିରୋଧରେ ଅପରାଧିକ ମାନହାନି କେସ୍ ଦାୟର କରିଥିଲେ। ରାହୁଲ ଗାନ୍ଧୀ ଉକ୍ତ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରି କହିଥିଲେ ‘ସବୁ ଚୋର କାହିଁକି ମୋଦୀ ସାଙ୍ଗିଆଧାରୀ’ ହୋଇଥାନ୍ତି ।

ଚଳିତ ବର୍ଷ ମାର୍ଚ୍ଚରେ ସୁରଟର ଏକ କୋର୍ଟ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ ।

ଦଣ୍ଡାଦେଶର ଦିନକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା।

Comments are closed.