ପେଗାସସ୍ ବିବାଦ: ଫୋନ୍ ହ୍ୟାକିଂ ନେଇ ସନ୍ଦେହ କରୁଥିବା ଲୋକଙ୍କୁ ତଥ୍ୟ ମାଗିଲା ସୁପ୍ରିମକୋର୍ଟ କମିଟି

ନୂଆଦିଲ୍ଲୀ: ପେଗାସସ୍ ସ୍ପାଏୱେୟାର ମାମଲାର ଯାଞ୍ଚ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଟେକ୍ନିକାଲ କମିଟି ନିଜ ଫୋନ୍ ହ୍ୟାକିଂ ନେଇ ସନ୍ଦେହ କରୁଥିବା ଲୋକଙ୍କଠାରୁ ବିସ୍ତୃତ ତଥ୍ୟ ମାଗିଛି। କମିଟି ଏକ ସର୍ବସାଧାରଣ ନୋଟିସ୍ ଦ୍ବାରା ଉକ୍ତ ଲୋକଙ୍କୁ ଜାନୁଆରୀ ୭ ସୁଦ୍ଧା ଯୋଗାଯୋଗ କରିବାକୁ କହିଛନ୍ତି। ସେମାନଙ୍କ ଫୋନ୍‌ର ଯାଞ୍ଚ ପାଇଁ ଏହା ପ୍ରସ୍ତୁତ

ବୋଲି କମିଟି କହିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇସ୍ରାଏଲ୍ ସଫ୍ଟୱେର୍ ପେଗାସସ୍ ମାଧ୍ୟମରେ ଭାରତରେ ୧୪୨ରୁ ଅଧିକ ଲୋକଙ୍କ ଫୋନକୁ ଟାର୍ଗେଟ କରି ସେମାନଙ୍କ ଉପରେ ଗୁପ୍ତଚରଗିରି କରାଯାଇଥିଲା। ରିପୋର୍ଟରେ କୁହାଯାଇଥିଲା ଯେ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲର ସିକ୍ୟୁରିଟି ଲ୍ୟାବ ଦ୍ୱାରା ଫୋରେନସିକ୍ ପରୀକ୍ଷଣରୁ ଅଧିକାଂଶ ଲୋକଙ୍କ ସୁରକ୍ଷା ଉଲ୍ଲଂଘନ ହୋଇଥିବା ସ୍ପଷ୍ଟ ହୋଇଥିଲା ।

ପଗାସସ୍ ର ଶିକାର ହୋଇଥିବା ବ୍ୟକ୍ତିଙ୍କ ତାଲିକାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର, ଦୁଇଜଣ କେନ୍ଦ୍ର ମନ୍ତ୍ରୀ, ପୂର୍ବତନ ନିର୍ବାଚନ କମିଶନର, ସୁପ୍ରିମକୋର୍ଟର ଦୁଇଜଣ ରେଜିଷ୍ଟ୍ରାର, ପୂର୍ବତନ ବିଚାରପତିଙ୍କ ଓ ପୂର୍ବତନ ଆଟର୍ଣ୍ଣି ଜେନେରାଲ ଭଳି ଭିଭିଆଇପି ଲୋକ ଅଛନ୍ତି। ଏହାର ଘନିଷ୍ଠ ସହଯୋଗୀ ଏବଂ ୪୦ ଜଣ ସାମ୍ବାଦିକ ଏଥିରେ ଜଡିତ ଅଛନ୍ତି।

ପେଗାସସ୍ ସଫ୍ଟୱେରର ନିର୍ମାତା ଏନ୍ଏସ୍ଓ ଗ୍ରୁପ୍ କହିଛି ଯେ ଏହା କେବଳ ସରକାର ଏବଂ ସରକାରୀ ଏଜେନ୍ସି ସହିତ ବ୍ୟବସାୟ କରେ | ଏହି ବିବାଦ ଉପରେ ସଂସଦରେ ସରକାର ଏକ ବିବୃତ୍ତି ଦେଇଥିଲେ। ତେବେ ସଂସଦର ଏହା ଉପରେ ଆଲୋଚନା ପାଇଁ ସରକାର ରାଜି ହୋଇନଥିଲେ । ଯାହାକୁ ନେଇ ବିରୋଧୀ ଦଳ ପକ୍ଷରୁ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଏକାଧିକ ଗଣମାଧ୍ୟମ ବ୍ୟକ୍ତିତ୍ଵ ଓ ସଂସ୍ଥା ତରଫରୁ ପେଗାସସ୍ ବିବାଦର ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା ।

Comments are closed.