କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ‘ସୁପ୍ରିମ’ ଝଟକା, ପ୍ରଭାତ ଗୁପ୍ତା ହତ୍ୟା ମାମଲା ସ୍ଥାନାନ୍ତର ଆବେଦନ ଖାରଜ

ନୂଆଦିଲ୍ଲୀ: ତିକୋନିଆର ବହୁ ଚର୍ଚ୍ଚିତ ପ୍ରଭାତ ଗୁପ୍ତା ହତ୍ୟା ମାମଲାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କୁ ବଡ଼ ଝଟକା ଲାଗିଛି। ଏହି ମାମଲା ସ୍ଥାନାନ୍ତର ପାଇଁ ଟେନିଙ୍କ ଆବେଦନକୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଅଜୟ ମିଶ୍ର ଟେନି ପ୍ରଭାତ ଗୁପ୍ତା ହତ୍ୟା ମାମଲାକୁ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବେଞ୍ଚକୁ ସ୍ଥାନାନ୍ତର କରିବାକୁ ଆବେଦନ କରିଥିଲେ। ତେବେ ସୁପ୍ରିମକୋର୍ଟ ଏହି ଆବେଦନକୁ ଅଗ୍ରାହ୍ୟ କରିଛନ୍ତି। ସମ୍ପ୍ରତି ଲକ୍ଷ୍ନୌ ବେଞ୍ଚରେ ଏହି ମାମଲାର ଶୁଣାଣି ଚାଲିଛି ।

ପ୍ରଭାତ ହତ୍ୟାକାଣ୍ଡ ମାମଲାର ଶୁଣାଣି କେବଳ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ହିଁ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ମଧ୍ୟ ମାମଲା ସ୍ଥାନାନ୍ତର ପାଇଁ ଅଜୟ ମିଶ୍ରଙ୍କ ଆବେଦନ ଖାରଜ କରିଦେଇଥିଲେ । ଏହାପରେ ସେ ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍ ପିଟିସନ ଦାୟର କରିଥିଲେ ।

ଉଲ୍ଲେଖଯୋଗ୍ୟ, ଲଖିମପୁର ଖେରିର ତିକୋନିଆରେ ୨୦୦୦ ମସିହା ଜୁଲାଇ ୮ରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଛାତ୍ର ନେତା ପ୍ରଭାତ ଗୁପ୍ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏଥିରେ ଅଜୟ ମିଶ୍ର ଟେନିଙ୍କ ସମେତ ଚାରି ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ୨୯ ମାର୍ଚ୍ଚ ୨୦୦୪ରେ ଲାଖିମପୁରର ଏକ କୋର୍ଟ ଟେନିଙ୍କୁ ଏହି ମାମଲାରେ ଦୋଷମୁକ୍ତ କରିଥିଲେ । ଏହା ବିରୋଧରେ ପ୍ରଭାତଙ୍କ ପିତା ସନ୍ତୋଷ ଗୁପ୍ତା ହାଇକୋର୍ଟରେ ଆବେଦନ କରି ଜିଲ୍ଲା କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ।

Comments are closed.