ଆଶିଷ ମିଶ୍ରଙ୍କ ଜାମିନକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ୟୁପି ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିବାକୁ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆଗତ ପିଟିସନର ସୁପ୍ରିମକୋର୍ଟ ବୁଧବାର ଶୁଣାଣି କରିଛନ୍ତି । ଏହି ମାମଲାରେ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ଜବାବ ତଲବ କରିଛନ୍ତି ।

ଲକ୍ଷ୍ମୀପୁର ଖେରୀ ହିଂସାରେ ଚାରିଜଣ ଚାଷୀଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା।

ପ୍ରଧାନ ବିଚାରପତି ଏନଭି.ରମନ୍ନା, ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ ଏକ ଖଣ୍ଡପୀଠ ଏହି ମାମଲାର ମୁଖ୍ୟ ସାକ୍ଷୀମାନଙ୍କ ଉପରେ ହୋଇଥିବା ଆକ୍ରମଣର ବିବାଦ ଉପରେ ଧ୍ୟାନ ଦେଇ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଉତ୍ତରପ୍ରଦେଶ ସରକାରଙ୍କୁ କହିଛନ୍ତି ।

ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସାରେ ନିହତ କୃଷକଙ୍କ ପରିବାରର ତିନିଜଣ ସଦସ୍ୟ ଆଶିଷ ମିଶ୍ରଙ୍କୁ ଜାମିନ ପ୍ରଦାନ ନେଇ ଆହ୍ଲାବାଦ ହାଇକୋର୍ଟର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଆହ୍ଲାବାଦ ହାଇକୋର୍ଟର ଗୋଟିଏ ବେଞ୍ଚ ଫେବୃଆରୀ ୧୦ରେ ମିଶ୍ରଙ୍କୁ ଜାମିନ ପ୍ରଦାନ କରିଥିଲା। ଏହାପୂର୍ବରୁ ସେ ଚାରିମାସ ଜେଲରେ ଥିଲେ।

ଗତ ବର୍ଷ ଅକ୍ଟୋବର ୩ରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତକୁ ନେଇ ଏକ କୃଷକ ଦଳ ବିରୋଧ ପ୍ରଦର୍ଶନ କରୁଥିବାବେଳେ ଏକ ଏସୟୁଭି (କାର) ଲକ୍ଷ୍ମୀପୁର ଖେରୀର ଚାରିଜଣ ଚାଷୀଙ୍କୁ ମଡାଇ ଦେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ବିକ୍ଷୋଭକାରୀଙ୍କ ଆକ୍ରମଣରେ ଭାରତୀୟ ଜନତା ପାର୍ଟିର ଦୁଇଜଣ କର୍ମଚାରୀ ଏବଂ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା ବେଳେ ହିଂସା ଘଟଣାରେ ଜଣେ ସ୍ଥାନୀୟ ସାମ୍ବାଦିକ ମଧ୍ୟ ନିହତ ହୋଇଥିଲେ।

ବିକ୍ଷୋଭକାରୀଙ୍କୁ ଦଳି ଦେଇଥିବା ଗାଡିରେ ଆଶିଷ ମିଶ୍ର ଥିଲେ ବୋଲି କୃଷକ ନେତାମାନେ ଦାବି କରିଛନ୍ତି। ତେବେ ମିଶ୍ର ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।

Comments are closed.