ପ୍ରଦୂଷଣ ହ୍ରାସ ପାଇଁ ଦିଲ୍ଲୀରେ ଦୁଇ ଦିନ ଲକଡାଉନ୍ କରିବାକୁ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣକୁ ସୁପ୍ରିମକୋର୍ଟ ଗମ୍ଭୀରତାର ସହ ନେଇଛନ୍ତି । ଆଜି ଏହି ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି ଯେ, ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଜରୁରୀ ପଦକ୍ଷେପ ଆବଶ୍ୟକ। ଯଦି ଆବଶ୍ୟକ ହୁଏ, ଦିଲ୍ଲୀ ଓ ଏନସିଆରରେ ଦୁଇ ଦିନର ଲକଡାଉନ୍ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି |

ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରାଜନୀତି ଏବଂ ସରକାର ଠାରୁ ଊର୍ଦ୍ଧ୍ବରେ ଉଠି କାର୍ଯ୍ୟ କରିବାର ଆବଶ୍ୟକତା ଅଛି ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି | ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା, ଜଷ୍ଟିସ୍ ଡି ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍ ସୂର୍ଯ୍ୟ କାନ୍ତଙ୍କ ଏକ ଖଣ୍ଡପୀଠ ପ୍ରଦୂଷଣ ମାମଲା ନେଇ ପିଟିସନର ଶୁଣାଣି କରିଛନ୍ତି। ଗତ ଶୁଣାଣିରେ ପ୍ରଦୂଷଣ ଯାଞ୍ଚ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଥିଲେ। ପ୍ରଦୂଷଣ ଯାଞ୍ଚ ପାଇଁ କ’ଣ ପଦକ୍ଷେପ ନିଆଯାଇଛି ବୋଲି କୋର୍ଟ ଦିଲ୍ଲୀ ସରକାରଙ୍କୁ ମଧ୍ୟ ପଚାରିଥିଲେ ଏବଂ ଏନେଇ ଦିଲ୍ଲୀ ସରକାର କୋର୍ଟରେ ଏକ ସତ୍ୟପାଠ ଦାଖଲ କରିବା ଉଚିତ୍ ବୋଲି କୋର୍ଟ କହିଥିଲେ। ଆଜି ଶୁଣାଣି ବେଳେ ଦିଲ୍ଲୀ ସରକାର କୋର୍ଟଙ୍କୁ କହିଛନ୍ତି ଯେ ସତ୍ୟପାଠ ପ୍ରସ୍ତୁତ ହେଉଛି ଏବଂ ଖୁବଶୀଘ୍ର ଦାଖଲ କରାଯିବ।

ପ୍ରଦୂଷଣ ମାମଲାରେ ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୫ରେ ହେବ। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ମଧ୍ୟ ଦିଲ୍ଲୀ ପ୍ରଦୂଷଣ ଉପରେ ହୋଇଥିବା ଜରୁରୀ ବୈଠକର ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

ଦିଲ୍ଲୀର ବାୟୁମାନ ଗମ୍ଭୀର ସ୍ତରକୁ ଖସିଛି । ଗତକାଲି ଦିଲ୍ଲୀର ବାୟୁମାନ ବା ଏୟାର କ୍ବାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୪୬୨ ରେକର୍ଡ ହୋଇଥିବାବେଳେ ଆଜି ଏହା ୫୪୧ ରେକର୍ଡ କରାଯାଇଛି। ପ୍ରଦୂଷଣ ସ୍ତର ଉପରେ ନଜର ରଖୁଥିବା ‘ସଫର’ ଦିଲ୍ଲୀର ପ୍ରଦୂଷଣ ନେଇ ଚେତାବନୀ ଦେଇଛି | ଆଗାମୀ ତିନି ଦିନରେ ପ୍ରଦୂଷଣ ସ୍ତର ୬୦୬ ପର୍ଯ୍ୟନ୍ତ ଯାଇପାରେ ବୋଲି କୁହାଯାଇଛି ।
ଅନ୍ୟପକ୍ଷରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଆବଶ୍ୟକ ନଥିଲେ ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି ଏବଂ ଗାଡ଼ି ବ୍ୟବହାରକୁ ୩୦ ପ୍ରତିଶତ ହ୍ରାସ କରିବାକୁ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେଇଛି।

Comments are closed.